ଭୁବନେଶ୍ୱର,୧୯/୧୨: ଭରତପୁର ଥାନାରେ ହଙ୍ଗାମା ଘଟଣାରେ ତଦନ୍ତ କମିଶନଙ୍କ ନିକଟରେ କ୍ରାଇମ୍‌ବ୍ରାଞ୍ଚ, ଭାଇରାଲ ଭିଡିଓ ସମ୍ପର୍କିତ ତଥ୍ୟ ଦାଖଲ କରିଛି । ଆସନ୍ତା ୨୧ ତାରିଖରେ ସମସ୍ତ ପକ୍ଷଙ୍କ ସାମ୍ନାରେ ଭିଡିଓଗୁଡିକ ପ୍ରଦର୍ଶିତ କରାଯିବ । ଏସବୁ ଭାଇରାଲ ଭିଡିଓଗୁଡିକ ସତ  ନା ଏହାକୁ ଏଡିଟିଂ କରାଯାଇ ତଦନ୍ତକୁ ଦିଗହରା  କରାଯାଇଛି, ତାହା ପକ୍ଷମାନେ ଦେଖି ଭିଡିଓରେ  ଥିବା ତ୍ରୁଟିବିଚ୍ୟୁତିକୁ ଖୋଜି ବାହାର କରିବେ ।   

ଏହାଛଡ଼ା ଆସନ୍ତା ୨୨ ତାରିଖରେ କମିଶନରେ  ହାଜର ହେବାକୁ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ  କମିଶନ ସାମ୍ନାରେ ପୁଲିସ ପକ୍ଷରୁ ଓକିଲମାନେ  ଉଭୟଙ୍କୁ ଜେରା କରିବେ । ୨୨ରୁ ୨୪ ତାରିଖ  ଯାଏଁ ଏହି ପ୍ରକ୍ରିୟା ଚାଲିବ । କମିଶନଙ୍କ ନିକଟରେ  କ୍ରାଇମ୍‌ବ୍ରାଞ୍ଚ ସମସ୍ତ ଏତଲାର କପି ସମେତ ଅନ୍ୟାନ୍ୟ  ତଥ୍ୟ ଉପସ୍ଥାପନ କରିଛନ୍ତି । ଗତ ସେପ୍ଟେମ୍ବର ୧୩ ରୁ ୧୬ ତାରିଖ ଭିତରେ ଭରତପୁର ଥାନାରେ  ରେକର୍ଡ ହୋଇଥିବା ଷ୍ଟେସନ ଡାଏରୀଗୁଡି଼କ  ମଧ୍ୟ କମିଶନଙ୍କଠାରେ ଦାଖଲ ହୋଇଛି।

ବୁଧବାର କମିଶନଙ୍କ ଶୁଣାଣି ବେଳେ ୫  ନିଲମ୍ବିତ ପୁଲିସ ଅଧିକାରୀଙ୍କ ସମେତ ସେନାଧିକାରୀ ଓ ବାନ୍ଧବୀଙ୍କ ଓକିଲମାନେ ହାଜର ହୋଇଥିଲେ ।  ଆଗକୁ ପୁଲିସ ଅଧିକାରୀମାନେ ଯେଉଁମାନଙ୍କୁ ଜେରା  କରିବେ, ସେମାନଙ୍କ ତାଲିକା ଦେଇଥିଲେ । କିନ୍ତୁ  ସେନାଧିକାରୀ ଓ ବାନ୍ଧବୀଙ୍କ ତରଫରୁ କାହାକୁ ଜେରା  କରାଯିବ, ସେ ନେଇ କୌଣସି ତଥ୍ୟ କମିଶନଙ୍କୁ  ଦିଆଯାଇ ନାହିଁ । ଆଗାମୀ ୨ ଦିନ ଭିତରେ ସେମାନେ  ତାଲିକା ଦେବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ,  କମିଶନଙ୍କ ନିକଟରେ ମୋଟ ୫୨୫ଟି ସତ୍ୟପାଠ  ଦାଖଲ ହୋଇଛି। ସେଥିରୁ ୪୫ଟି ସତ୍ୟପାଠକୁ  ଶୁଣାଣି ପାଇଁ ଚୟନ କରାଯାଇଛି । ସୂଚନାଯୋଗ୍ୟଯେ,  ନଭେମ୍ବର ୧୯ ତାରିଖରେ ଜଷ୍ଟିସ୍‌ ଶ୍ରୀ ଦାଶ ନିଜେ ଭରତପୁର ଥାନାକୁ ଯାଇ ତଦନ୍ତ କରିଥିଲେ।