ପୁରୀ, ୦୮/୦୨: ଶନିବାର ଭୌମ ଏକାଦଶୀ । ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ଗୋଟିଏ ଦିନ ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। ଏନେଇ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଏବେ ଭିତର ଓ ବାହାର ରତ୍ନଭଣ୍ଡାର ଭିତର  ପାଶ୍ୱର୍ ମରାମତି କାମ ଚାଲିଥିବା ବେଳେ ବାହାର  ପାଶ୍ୱର୍ରୁ ମଧ୍ୟ ପ୍ଲାଷ୍ଟର ଛଡ଼ାଇବା କାମ ଆରମ୍ଭ ହୋଇଛି ।  ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ କାନ୍ଥ ଓ ଛାତରୁ  ପ୍ଲାଷ୍ଟର ଛଡ଼ା ଯାଇ କେମିକାଲ ଟ୍ରିଟମେଣ୍ଟ କରାଯାଉଛି ।  ନଷ୍ଟ ପଥର ବଦଳ କରାଯାଇଛି । ପଥର ଜଏଣ୍ଟଗୁଡ଼ିକୁ  ପୁନଃ ସ୍ୱତନ୍ତ୍ର ସିମେଣ୍ଟ ପ୍ରଲେପ ଦେଇ ଯୋଡେଇ  କରାଯାଇଛି। ମୂଷା ଗାତଗୁଡ଼ିକୁ ବୁଜା ଯାଇଛି । କାମକୁ  ଜୋର୍‌ଦାର୍‌ କରି ନିର୍ଦ୍ଧାରିତ ସମୟରେ ଶେଷ କରାଯିବ  ବୋଲି ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି । 

୩ ମାସ ଭିତରେ ରତ୍ନଭଣ୍ଡାର ମରାମତି  ସାରିବାକୁ ଏଏସ୍‌ଆଇ ସମୟ ନେଇଛି । ଡିସେମ୍ବର ୧୭ରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିଲା । ଏହା ଭିତରେ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ  ଅତିକ୍ରାନ୍ତ ହୋଇଯାଇଛି । ତେଣୁ ରତ୍ନଭଣ୍ଡାର  ମରାମତି ଲାଗି ଆଉ ଦେଢ଼ ମାସ ସମୟ ରହିଛି ।