ନୂଆଦିଲ୍ଲୀ,୨୬/୦୨ : ଭୁବନେଶ୍ୱର ସମେତ ଖୁବ୍‌ଶୀଘ୍ର ଦେଶର ୧୩ ବିମାନବନ୍ଦରର ହେବ ଘରୋଇକରଣ। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଆସେଟ୍‌ ମୁଦ୍ରୀକରଣ ମାଧ୍ୟମରେ ରାଜସ୍ୱ ବଢାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଏହି କ୍ରମରେ ୧୩ ବିମାନବନ୍ଦରର ଘରୋଇକରଣ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଘରୋଇକରଣ ପ୍ରକ୍ରିୟା ନିମନ୍ତେ ୭ ଛୋଟ ବିମାନବନ୍ଦରକୁ ୬ଟି ବଡ଼ ବିମାନବନ୍ଦର ସହିତ କ୍ଲବ୍‌ କରିଛନ୍ତି । ଏଥିସହିତ ବାରାଣାସିକୁ କୁଶିନଗର ଏବଂ ଗୟା ସହିତ, ଅମ୍ରିତସରକୁ କାଙ୍ଗ୍ରା ସହିତ, ଭୁବନେଶ୍ୱରକୁ ତିରୁପତି ସହ, ରାୟପୁରକୁ ଔରଙ୍ଗାବାଦ ସହ, ଇନ୍ଦୋରକୁ ଜବଲପୁର ସହିତ ଏବଂ ତିରୁଚିରାପଲ୍ଲୀକୁ ହୁବୁଳି ସହ ଯୋଡ଼ାଯାଇଛି ।  

ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଏହି ବିମାନବନ୍ଦରଗୁଡ଼ିକର ଘରୋଇକରଣ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆନ୍ତଃ-ମନ୍ତ୍ରୀସ୍ତରୀୟ ପରାମର୍ଶ ନୋଟ୍‌ ଜାରି କରିଛି । ୨୦୨୫-୨୬ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇକରଣ ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍‌ ଉପସ୍ଥାପନ କରିବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ନ୍ୟାସ୍‌ନାଲ ମନେଟାଇଜେଶନ୍‌ ପ୍ଲାନ୍‌ର ଦ୍ୱିତୀୟ କିସ୍ତି ଭାବେ ଆସନ୍ତା ୫ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାର ସରକାରୀ ସମ୍ପତ୍ତିର ମୁଦ୍ରୀକରଣ କରାଯିବ । 

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନ୍ୟାସ୍‌ନାଲ ମନେଟାଇଜେସନ୍‌ ପାଇପ୍‌ଲାଇନ୍‌(ଏନ୍‌ଏମ୍‌ପି) ଅଧୀନରେ ୨୦୨୨-୨୦୨୫ ମଧ୍ୟରେ ୨୫ଟି ବିମାନବନ୍ଦରକୁ ଲିଜ୍‌ରେ ଦେବା ପାଇଁ ଚିହ୍ନଟ କରାଯାଇଥିଲା । ୨୦୨୧ରେ ବିଜେପି ସରକାରଙ୍କ ଅଧୀନରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ବୋର୍ଡ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବିମାନବନ୍ଦର ଘରୋଇକରଣ ଲାଗି ୧୩ଟି ବିମାନବନ୍ଦରକୁ ଚୟନ କରାଯାଇଥିଲା । ଏହା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ କ୍ୟାବିନେଟ୍‌ ଚିଠା ପ୍ରସ୍ତୁତ କରିଥିଲା । ତେବେ ମଧ୍ୟପ୍ରଦେଶ ସରକାର ରାୟପୁର ଏବଂ ଇନ୍ଦୋର ବିମାନବନ୍ଦରର ଘରୋଇକରଣକୁ ବିରୋଧ କରିବା ଫଳରେ ଏହି ତାଲିକା ୧୧କୁ ଖସିଯାଇଥିଲା । ବର୍ତ୍ତମାନ ଘରୋଇକରଣ ପାଇଁ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।  ବିମାନବନ୍ଦରଗୁଡ଼ିକୁ ଘରୋଇ କମ୍ପାନିଗୁଡ଼ିକୁ ଲିଜ୍‌ରେ ଦେବା ଦ୍ୱାରା ବିମାନବନ୍ଦରଗୁଡ଼ିକର ମ୍ୟାନେଜ୍‌ମେଣ୍ଟ ଦୃଢ଼ ହେବ । ଘରୋଇ କ୍ଷେତ୍ରର କାର୍ଯ୍ୟକୁଶଳତାର ବ୍ୟବହାର ହୋଇପାରିବ । ବିମାନବନ୍ଦର ଭିତ୍ତିଭୂମି ଏବଂ ସୁବିଧା ବଢ଼ିବା ଦ୍ୱାରା ଯାତ୍ରୀ ଉପକୃତ ହେବେ । ସେମାନଙ୍କୁ ଉତ୍ତମ ସେବା ମିଳିବ । 

ବିମାନବନ୍ଦର ଘରୋଇକରଣରୁ ଆଦାନି ଏୟାର୍‌ପୋର୍ଟସ ଏବଂ ଜିଏମ୍‌ଆର୍‌ ଏୟାର୍‌ପୋର୍ଟସଙ୍କୁ ଫାଇଦା ମିଳିବ । ଭିତ୍ତିଭୂମି କମ୍ପାନି ଏବଂ ଘରୋଇ ଇକ୍ୱିଟି ଫଣ୍ଡ୍‌ଗୁଡ଼ିକର ଅଧିକାରୀମାନଙ୍କ କହିବାନୁସାରେ, ସରକାର ଚୁକ୍ତିକୁ ସେଭଳି ଆକର୍ଷଣୀୟ ନ କଲେ ବିମାନବନ୍ଦରର ବିଡିଂ ପ୍ରକ୍ରିୟାରେ ଆଗ୍ରହ ଦେଖିବାକୁ ମିଳି ନ ପାରେ । ସେମାନଙ୍କ କହିବାନୁସାରେ, ଘରୋଇକରଣ ପାଇଁ ଚୟନ କରାଯାଇଥିବା ବିମାନବନ୍ଦରଗୁଡ଼ିକର ଆକାର କମ୍‌ । ତେଣୁ ନିବେଶକଙ୍କ ପକ୍ଷରୁ ଆଗ୍ରହ ସୀମିତ ରହିପାରେ । କମ୍‌ ସମ୍ଭାବନା ଥିବା ବିମାନବନ୍ଦରଗୁଡ଼ିକ ସହ ଏଗୁଡ଼ିକୁ କ୍ଲବ୍‌ କରିବା ଦ୍ୱାରା ଏହା ସେତେଟା ଆକର୍ଷଣୀୟ ହୋଇ ନ ପାରେ । ଘରୋଇ ଇକ୍ୱିଟି ନିବେଶକ ଏଭଳି ସମ୍ପତ୍ତିକୁ ଚଳାଇବାକୁ ଚାହିଁବେ, ଯେଉଁଥିରୁ ସେମାନେ ଭଲ ରିଟର୍ଣ୍ଣ ପାଇବେ ।

ଏହି ଖବରଟିକୁ ପଢନ୍ତୁ-କମୁଛି ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯%ରୁ ଖସି ୬୩%ରେ ପହଞ୍ଚିଲାଣି