ଭୁବନେଶ୍ୱର,୨୪/୦୬: ବୁଧବାର ବିଏମ୍ସି କର୍ପୋରେସନ ବୈଠକ ବସିବ । ତା ପୂର୍ବରୁ ସୋମବାର ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଛି । ସୋମବାର ମେୟରଙ୍କ ଅଧ୍ୟକ୍ଷତାରେ କଣ୍ଟ୍ରାକ୍ଟସ୍ କମିଟି ବୈଠକ ବସିଥିଲା । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି । ଆସନ୍ତାକାଲି କର୍ପୋରେସନ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିବ । ସହର ଜଳବନ୍ଦୀ ପ୍ରସଙ୍ଗକୁ ନେଇ ଏଥର ବିରୋଧୀ ଶାସକ ବିଜେଡିକୁ ଘେରିବାର ସମ୍ଭାବନା ରହିଛି । ସହର ବିଭିନ୍ନ ଅଞ୍ଚଳ ବର୍ଷା ହେଲେ ବୁଡୁଛି । କଟକରୋଡ, ଇସ୍କନ, ସୌଭାଗ୍ୟନଗର, ପଞ୍ଚଶଖାନଗର ଭଳି ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି ।
ସେହିପରି ମୁକୁଳା ଡ୍ରେନ୍ ବି ଚିନ୍ତା ବଢାଇଛି । ବିଭିନ୍ନ ସ୍ଥାନରେ ଡ୍ରେନ୍ ମୁକୁଳା ପଡିଛି । ଫଳରେ ପୂର୍ବ ବର୍ଷ ପରି ଏଥର ମଧ୍ୟ ଅଘଟଣା ଆଶଙ୍କା ରହିଛି । ଆଗକୁ ବର୍ଷା ଆସୁଥିବା ବେଳେ ଏହାର ସଠିକ ମୁକାବିଲା ପାଇଁ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । ବର୍ଷା ପୂର୍ବରୁ ଏବେ ବିଭିନ୍ନ ସ୍ଥାନରେ ନାଳ ସଫା କରାଯାଉଛି । ଡ୍ରେନ୍ରୁ ପଙ୍କ କାଢି ରାସ୍ତାରେ ଗଦା କରୁଛନ୍ତି । ହେଲେ ଏହାକୁ ଉଠାଯାଉନି । କ୍ୟାପିଟାଲ ହସ୍ପିଟାଲ ଚକ୍ଷୁ ବିଭାଗ ରାସ୍ତାରେ ଦୀର୍ଘଦିନ ହେବ ରାସ୍ତା ପଙ୍କ କଢାଯାଇଛି । ରାସ୍ତାରେ ଗଦା ହୋଇଛି । ବର୍ଷାରେ ପୁଣି ପଙ୍କ ଡ୍ରେନ୍ରେ ପଶୁଛି । ବର୍ଷା ପୂର୍ବରୁ ଭୁବନେଶ୍ୱରେ ଡେଙ୍ଗୁ ସ୍ଥିତି ଗମ୍ଭୀର । ସଂଖ୍ୟା ୪୪ ଡେଇଁଲାଣି । ୱାର୍ଡରୁ ପ୍ରତିଦିନ ରୋଗୀ ଚିହ୍ନଟ ହେଉଛନ୍ତି । ବିଏମ୍ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । କିଛି କର୍ପୋରେଟର ଏହି ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି।