ଭୁବନେଶ୍ୱର,୨୮/୧ : ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଧାନ କ୍ରୟ ବ୍ୟବସ୍ଥାର ଚରମ ବିଫଳତା ଏବଂ ବିରୋଧରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦ ଡାକରା ଭୁବନେଶ୍ୱରରେ ଆଂଶିକ ପ୍ରଭାବ ପଡ଼ିଛି । ରାଜଧାନୀର ମୁଖ୍ୟ ରାସ୍ତା, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ଅନ୍ୟ ସ୍ଥାନରେ ଯାନବାହନ, ଚଳାଚଳ ସ୍ୱଭାବିକ ରହିଛି । ସକାଳ ସାଢେ ୯ଟା ପର୍ଯ୍ୟନ୍ତ ବନ୍ଦର ସେଭଳି କୌଣସି ପ୍ରଭାବ ପଡ଼ିନି । ଉତ୍ତରା ଛକ, ରସୁଲଗଡ଼ ଆଦି ସହରର ମୁଖ୍ୟ ପ୍ରବେଶ ପଥରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ପିକେଟିଂ କରି ଗାଡ଼ି, ବସକୁ ବନ୍ଦ ବିଷୟରେ ବୁଝାଉଛନ୍ତି । ଅନ୍ୟପଟେ ବରମୁଣ୍ଡା ବସଷ୍ଟାଣ୍ଡରେ କିଛି ଘରୋଇ ବସ୍ ଚାଲିନପାରି ରହିଛି, କିନ୍ତୁ ସରକାରୀ ବସ ଚାଲୁଛି । ଦୋକାନ ବଜାର ବି ଖୋଲା ଅଛି ।
କଂଗ୍ରେସ ଓ ସିପିଆଇ(ଏମ୍)ର ସମର୍ଥନ ଘୋଷଣା
ଆଜିର ଓଡିଶା ବନ୍ଦକୁ କଂଗ୍ରେସ ଓ ସିପିଆଇଏମ ସମର୍ଥନ କରିଛି । ନବ ନିର୍ମାଣ କୃଷକ ସଂଗଠନ ତରଫରୁ କୁହାଯାଇଛି, ଧାନ କ୍ରୟ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଅନେକ ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ, ଟୋକନ ବ୍ୟବସ୍ଥାର ଅନିୟମିତତା ଆବଶ୍ୟକତାଠାରୁ କମ୍ କ୍ରୟ, ଓଜନରେ ଅନ୍ୟାୟ, ଧାନ କ୍ରୟ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟଙ୍କା ନ ମିଳିବା ଇତ୍ୟାଦି ସବୁ କାରଣରୁ ଚାଷୀମାନେ ଭୟଙ୍କର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ସରକାରୀ ଏମଏସପି ଏବଂ ଇନପୁଟ ସବସିଡି ଘୋଷଣା ହୋଇଥିଲେ ମଧ୍ୟ ଅଧିକାଂଶ କୃଷକ ତାହାର ଲାଭ ପାଉନାହାନ୍ତି।
ଆମେ ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛୁ ଯେ, ସମସ୍ତ ଚାଷୀଙ୍କ ଧାନ ଏମଏସପି ଏବଂ ଇନପୁଟ ସବସିଡି ମିଶାଇ କୁଇଣ୍ଟାଲ ପ୍ରତି ୩୧୦୦/ ଟଙ୍କାରେ କିଣାଯାଉ, ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ନିଶ୍ଚିତ କରାଯାଉ । ଟୋକନ ଓ ମଣ୍ଡି ବ୍ୟବସ୍ଥାର ସମସ୍ତ ଅନିୟମ ଓ ଦୁର୍ନୀତି ଦୂର କରାଯାଉ, ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।