ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସୁନେଲି ସ୍ୱପ୍ନ ଦେଖାଇଥିଲେ, ସବୁ ଫୁସ୍‌....ବନ୍ଦ ହେବ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌! ଡେଡ୍ ଲାଇନ୍ ମାର୍ଚ୍ଚ ୩୧

Published By : Prameya | January 19, 2025 11:21 AM

ଭୁବନେଶ୍ୱର,୧୯/୦୧: ଦୀର୍ଘ ଆଠ ବର୍ଷ ପରେ ବନ୍ଦ ହେବାକୁ ଯାଉଛି ଭୁବନେଶ୍ୱର  ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) । ମାର୍ଚ୍ଚ  ୩୧ ତାରିଖ ଏହାର ଶେଷ କାର୍ଯ୍ୟ ଦିବସ ହୋଇପାରେ । ବିଏସ୍‌ସିଏଲକୁ ବିଏମ୍‌ସି ସହିତ ମିଶାଇବାକୁ ସରକାରୀ ସ୍ତରରେ  ଯୋଜନା ଚାଲିଛି । ବିଏମ୍‌ସିରେ ଏକ ସ୍ୱତନ୍ତ୍ର ସେଲ୍‌ ଖୋଲି ବିଏସ୍‌ସିଏଲ୍‌ ଅଧୀନରେ ଥିବା ପ୍ରକଳ୍ପ ପରିଚାଳନା କରିବାକୁ ବିଚାର ବିମର୍ଶ ଚାଲିଛି । ଦୁଇ ଜଣ ଡେପୁଟି କମିଶନର ଏହା ଦାୟିତ୍ୱରେ ରହିପାରନ୍ତି ।   

ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଦେଶରେ ସ୍ମାର୍ଟ ସିଟି ମିଶନର ଅବଧି ବଢ଼ାଯାଇଛି । ୨୦୨୦ରେ ମିଶନ ସାରିବାକୁ ଲକ୍ଷ୍ୟ ଥିଲା । ଆସନ୍ତା ମାର୍ଚ୍ଚ ପରେ ଏହାର ଅବଧି ଆଉ ବଢ଼ିବନି । ମିଶନ ବନ୍ଦ ହେବ ବୋଲି ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ହୋଇଛି । ବିଏସସିଏଲ୍‌ ଅଧୀନରେ ଥିବା ସମସ୍ତ ପ୍ରକଳ୍ପ କାମ ପ୍ରାୟତଃ ସରିଯାଇଛି । କେବଳ ଲେକ୍‌ ନିଉଟ୍ରାଲ ପ୍ରକଳ୍ପକୁ ଛାଡ଼ି ବାକି  ସବୁ ପ୍ରକଳ୍ପକୁ ସଫଳତାର ସହ ସାରିଛୁ ବୋଲି ବିଏସ୍‌ସିଏଲ୍‌ ଦାବି କରୁଛି । କିନ୍ତୁ ସ୍ମାର୍ଟ ସିଟି  ମିଶନରେ ରାଜଧାନୀକୁ ସ୍ମାର୍ଟ କରିବାକୁ ଯେଉଁ  ସୁନେଲି ସ୍ୱପ୍ନ ଦେଖାଇଥିଲେ ତାହା ପ୍ରହେଳିକା ପାଲଟିଛି । କୋଟି କୋଟି ଟଙ୍କାରେ ପ୍ରକଳ୍ପ  ତିଆରି ହୋଇଛି ସତ, ହେଲେ ସ୍ମାର୍ଟ ଠାରୁ ବହୁ  ପଛରେ ରହିଯାଇଛି । ଜନପଥ(ଶିଶୁଭବନରୁ ବାଣୀବିହାର ଛକ) ଟ୍ରାନଜିଟ୍‌ ଓରିଏଣ୍ଟେଡ୍‌  ଡେଭଲପମେଣ୍ଟ(ଟିଓଡି)ର ପ୍ରୟୋଗଶାଳା  ହେବ । ଜନପଥକୁ ବିଶ୍ୱସ୍ତରୀୟ ରୂପ  ଦିଆଯିବ । ଏହା ସିଙ୍ଗାପୁର ସହର ରାସ୍ତାର ଭ୍ରମ  ସୃଷ୍ଟି କରିବ । ହାତପାଆନ୍ତାରେ ସର୍ବସାଧାରଣ  ପରିବହନ ସେବା ମିଳିବ । କାର୍‌ ଉପରେ ନିର୍ଭରଶୀଳତା କମିବ । ଏଭଳି ଉଦ୍ଦେଶ୍ୟ ରଖି  ସ୍ମାର୍ଟ ଜନପଥର ପରିକଳ୍ପନା ହୋଇଥିଲା ।  କିନ୍ତୁ ଏ ସବୁ କିଛି ହେଲାନି । କେବଳ କିଛି ସୌନ୍ଦର୍ଯ୍ୟକରଣ ଓ ପେଭର ବ୍ଲକ୍‌ କାମରେ  ସ୍ମାର୍ଟ ଜନପଥ ପ୍ରକଳ୍ପ ସୀମିତ ରହିଲା ।   

ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ସର୍ଭେଲାନ୍ସ ଓ  କଣ୍ଟ୍ରୋଲ ସିଷ୍ଟମ୍‌ ପ୍ରକଳ୍ପରେ ସହରର ୫୦ଟି ଜାଗାରେ ସ୍ମାର୍ଟ ଟ୍ରାଫିକ୍‌ ସିଗନାଲ୍‌ ଲାଗିଲା । ପେଲିକାନ ସିଗନାଲ୍‌, ବ୍ଲିଙ୍କର୍ସ, ରେଡଲାଇଟ୍‌  ଭାୟୋଲେସନ୍‌ ସିଷ୍ଟମ୍‌ ସହିତ ସିସି କ୍ୟାମେରା ଛାଇ ଯାଇଥିଲା । ଆଡାପ୍ଟିଭ୍‌ ଟ୍ରାଫିକ୍‌ କଣ୍ଟ୍ରୋଲ ସିଷ୍ଟମ(ଏଟିଏସ୍‌ସି) ଟେକ୍ନୋଲୋଜିରେ  ସ୍ୱୟଂଚାଳିତ ଟ୍ରାଫିକ୍‌ ପରିଚାଳନା ହେବ। ଏଟିଏସ୍‌ସି ଟ୍ରାଫିକ୍‌ ଭିଡ଼ ରିଅଲ ଟାଇମ୍‌  ତଥ୍ୟକୁ ନେଇ ଆପେ ରେଡ୍‌ ଓ ଗ୍ରୀନ୍‌ ସିଗନାଲ ଦେଖାଇବ । ସେଣ୍ଟ୍ରୋଲ କମାଣ୍ଡ ସେଣ୍ଟର ବା କଣ୍ଟ୍ରୋଲ ରୁମ୍‌ରୁ ସହରର ଟ୍ରାଫିକ୍‌ ବ୍ୟବସ୍ଥାକୁ  ନିୟନ୍ତ୍ରଣ କରାଯିବ । କେଉଁଠି ଟ୍ରାଫିକ୍‌ ଭିଡ଼ ଜମିଲେ କଣ୍ଟ୍ରୋଲ ରୁମ୍‌ ଜରିଆରେ ଭିଡ଼ କମାଇବାକୁ ତତ୍କାଳ ପଦକ୍ଷେପ ନିଆଯିବ ବୋଲି  ଯୋଜନା ଥିଲା। କିନ୍ତୁ ଏବେ ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ସର୍ଭେଲାନ୍ସ ପ୍ରହସନ ପାଲଟିଛି । ଅନେକ ଛକରେ ସ୍ମାର୍ଟ ଟ୍ରାଫିକ୍‌ ସିଗନାଲ କାମ  କରୁନି । ଟ୍ରାଫିକ୍‌ ଭିଡ଼ ରୋକିବାରେ କଣ୍ଟ୍ରୋଲ ରୁମ୍‌ର କିଛି ଭୂମିକା ରହୁନି ।   

ବିଏସ୍‌ସିଏଲ୍‌ ଗଠନ ଠାରୁ ଏବେଯାଏ ମୋଟ  ୧୦୦୦ କୋଟି ଟଙ୍କାର ଅନୁଦାନ ମିଳିଛି । ସ୍ମାର୍ଟ  ସିଟି ମିଶନରେ ଏହି ଅର୍ଥ ମିଳିଛି । ଏଥିରୁ କେନ୍ଦ୍ର  ସରକାର ୫୦୦ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ବଳକା ୫୦୦ କୋଟି  ଟଙ୍କା ଦେଇଛନ୍ତି । ବିଏସ୍‌ସିଏଲ୍‌ ଆଜିସୁଦ୍ଧା  ୯୯୦ କୋଟି ଟଙ୍କାର ପ୍ରକଳ୍ପ ବିନିଯୋଗ  ପ୍ରମାଣପତ୍ର(ୟୁସି) ଦାଖଲ କରିସାରିଛି ।  ଏବେ କେବଳ ୧୦ କୋଟି ଟଙ୍କା ବଜେଟ୍‌ର ଲେକ୍‌ ନିଉଟ୍ରାଲ ପ୍ରକଳ୍ପ କାମ ଚାଲିଛି । ନିକୋ  ପାର୍କରୁ ବାହାରି ସତ୍ୟନଗର ଯାଏ ଆସିଥିବା  ଜଳାଶୟର ପୁନରୁଦ୍ଧାର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଯୋଜନା ଅଛି । ବେଆଇନ  ନିର୍ମାଣର ଜବରଦଖଲ ଉଚ୍ଛେଦ ହେଉନଥିବାରୁ  କାମ ଆଗେଇ ପାରୁନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.