ଭୁବନେଶ୍ୱର,୨୧/୦୩: ଭିଡ଼ରୁ ମୁକୁଳିବେ ରାଜଧାନୀବାସୀ । ଭୁବନେଶ୍ୱର ରାସ୍ତାର ଚେହେରା ମଧ୍ୟ ବଦଳିବ । ଏଥିପାଇଁ ମାଷ୍ଟରପ୍ଲାନ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଭୁବନେଶ୍ୱର ମଧ୍ୟ ନିର୍ମାଣ ହେବାକୁ ଯାଉଛି ୩୭ଟି ନୂଆ ରାସ୍ତା । ଯାହା ବଜେଟରେ ବ୍ୟୟବରାଦ କରାଯାଇଛି । ନୂଆ ପ୍ରକଳ୍ପ ମଧ୍ୟରେ ବାମ ସମାନ୍ତରାଳ ରାସ୍ତା ନେଟୱାର୍କ-ସାଲିଆ ସାହି ଓ ଚୁନକୋଳି ରାସ୍ତା ରହିଛି । ଯାହାର ଦୂରତା ମୋଟ ୧୧ କିମି ଅଟେ । ଆସନ୍ତା ୧୫ ଦିନ ମଧ୍ୟରେ ଏହି ରାସ୍ତା କାମ ସରିବ ।
ସେହିପରି ୩୮.୪ କିମିର ଦୟା ପଶ୍ଚିମ କେନାଲ ରାସ୍ତା ହେବ । ଏହି ରାସ୍ତା ବାରଙ୍ଗ ସହ ଜଟଣୀକୁ ଯୋଡ଼ିବ । ୬.୪୯ କିମିର ବାରଙ୍ଗତ୍ରିଶୁଳିଆ ରାସ୍ତା ଧାକୁଲେଇ ପୀଠରୁ ବାହାରି ଏନ୍ଏଚ୍-୧୬କୁ ସଂଯୋଗ କରିବ । ୬.୧୮ କିମିର ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ଓ ଡମଣା ଛକ, ୭.୬୧ କିମିର କାଇମାଟିଆ ଛକରୁ ବାରଙ୍ଗ-ପିତାପଲ୍ଲି, ୪.୫୯ କିମିର ଗୋହିରାରୁ ଗୋଠପାଟଣା, ୨.୮୨ କିମିର ଏନ୍ଏଚ୍-୧୬ରୁ ଭୁବନେଶ୍ୱର ଭିତର ରିଂରୋଡ୍ ପର୍ଯ୍ୟନ୍ତ, ଏମ୍ସ ଓ ଦାମୋଦରପୁର ଦେଇ ଦୟାପଶ୍ଚିମ କେନାଲ ଯାଏ ରାସ୍ତା ରହିଛି । ଅନ୍ୟ ପ୍ରକଳ୍ପ ମଧ୍ୟରେ ୧.୩୯ କିମିର ଡିଏନ୍ ରେଗାଲିଆରୁ କେ-୭, ୨.୨୦କିମିର କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ଉଚ୍ଚ କରିଡର ହେବାର ଅଛି ।
ଆହୁରି ପଢନ୍ତୁ- ବସ୍ରେ ଲାଗିଗଲା ନିଆଁ, ଭିତରେ ଥିଲେ ଚିତ୍ରକୋଣ୍ଡା ବିଧାୟକ...
୨.୨୩ କିମିର ଖଣ୍ଡଗିରିରୁ ଗଣ୍ଡମୁଣ୍ଡା, ୪.୯୧ କିମିର ଲକ୍ଷ୍ମୀସାଗରରୁ ସାମନ୍ତରାପୁର ଦେଇ କଳ୍ପନା ଫ୍ଲାଏଓଭର ଓ ସଂଗ୍ରହାଳୟ ଛକ, ୨.୧୨ କିମିର ଏଜିଛକରେ ଅଣ୍ଡରପାସ୍, ୧.୭୧ କିମିର ଦୟାସେତୁରୁ ଧଉଳି ଛକ ରାସ୍ତା ତିଆରି ହେବ । ଏଥିସହ ୩.୩୮ କିମିର ଏନ୍ଏଚ-୧୬ରୁ ଏମ୍ସ ଛକ, ଘାଟିକିଆ ପର୍ଯ୍ୟନ୍ତ, ୧.୭୦ କିମିର ପଟିଆ ଛକରୁ ଇନଫୋସିଟି ଓ ୨.୧୦କିମିର କିଟ୍ରୁ ଶିଖରଚଣ୍ଡୀକୁ ନୂଆ ରାସ୍ତା ଯୋଡ଼ିବ । ବଡ଼କଥା ହେଉଛି, ଏଜିରୁ ବିମାନବନ୍ଦର ଯାଏ ଭୂତଳ ରାସ୍ତା ତିଆରି ହେବ ।