ମୁମ୍ବାଇ ୨୮/୦୧: ଫେବ୍ରୁଆରୀ ୧ରୁ ଆମାଜନ୍ ପ୍ରାଇମ୍ରେ ପ୍ରସାରିତ ହେବ ଭୂମି ପେଡ୍ନେକରଙ୍କ ନୂଆ ସିରିଜ୍ ‘ଦଲ୍ଦଲ୍’ । ଭୂମି ଏଥିରେ ଏସିପି ରିତା ଫରେରା ଭୂମିକାରେ ଅଭିନୟ କରିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଭୂମି ସିରିଜ୍ ବିଷୟରେ ଆଲୋଚନା କରିଛନ୍ତି । ‘ଦଲ୍ଦଲ୍’ ପାଇଁ ସେ ୩-୪ ମାସ ପ୍ରସ୍ତୁତ ହୋଇଥିଲେ । ପ୍ରଥମ ଦେଢ଼ ମାସ କେବଳ ନିଜ ଚରିତ୍ରକୁ ବୁଝିଲେ । ମହିଳା ପୁଲିସ ଅଧିକାରୀମାନଙ୍କ ସହ ସାକ୍ଷାତ କଲେ । ଏଥିରେ ହରିୟାଣା ପୁଲିସରୁ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଅବସର ନେଇଥିବା ତାଙ୍କ ମାଉସୀ ବି ଥିଲେ । ଅପରାଧିକ ମନୋବିଜ୍ଞାନ ବିଶେଷଜ୍ଞଙ୍କ ସହ ମଧ୍ୟ କଥା ହେଲେ । ଜଣେ ମହିଳା ସାମାଜିକ ପ୍ରଣାଳୀ, ରାଜନୀତି ଓ ଚାପ ମଧ୍ୟରେ ନିଜକୁ କେମିତି ସମ୍ଭାଳେ, ଭୂମି ତାହା ବୁଝିବାକୁ ଚେଷ୍ଟା କଲେ ।
ତାଙ୍କର ରିତା ଚରିତ୍ର ଭିତରେ ବହୁତ କିଛି ଚାପି ହୋଇ ରହିଛି, ଯାହା ପରଦାରେ ତାଙ୍କୁ ଭୟଙ୍କର କରିଛି । ସୁଟିଂ ସମୟରେ ଭୂମିଙ୍କର ଆତ୍ମବିଶ୍ୱାସ ନ ଥିଲା । କମ୍ ଡାଏଲଗ୍ ଥିବା ପ୍ରୋଜେକ୍ଟରେ କାମ କରିବା ତାଙ୍କ ପାଇଁ ବହୁତ ମୁସ୍କିଲ ଥିଲା । କାହାଣୀ ଓ ଚରିତ୍ରର ଭାବ ଦର୍ଶକଙ୍କ ପାଖରେ ପହଞ୍ଚିବ କି ନାହିଁ, ତାକୁ ନେଇ ସେ ଖୁବ୍ ଭୟଭୀତ ଥିଲେ । ଭୂମି କହିଛନ୍ତି, ଭଲ କାହାଣୀ, ନିରୁତା ଅଭିନୟ ଓ ପରିଶ୍ରମକୁ ପସନ୍ଦ କରୁଥିବା ଦର୍ଶକ ‘ଦଲ୍ଦଲ୍’କୁ ପସନ୍ଦ କରିବେ । ଏଥିରେ ପ୍ରତି ବିଭାଗର ପରିଶ୍ରମ ପରଦାରେ ଦେଖାଯିବ । ଅର୍ଥପୂର୍ଣ୍ଣ କାହାଣୀ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ‘ଦଲ୍ଦଲ୍’ ।