ଝୁମ୍ପୁରା,୨୧/୫(ନିର୍ମଳ ଚନ୍ଦ୍ର ବାରିକ): ବଜାରରେ ସୁନା ଦର ଏପରି ମହଙ୍ଗା ହେବାରେ ଲାଗିଛି ଯେ, ଶେଷରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷେ ଯାଏଁ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଆଉ ଏହାପରେ ବିବାହ, ବ୍ରତ ଆଦି ଭଲମନ୍ଦ କାର୍ଯ୍ୟରେ ସୁନା ଅଳଙ୍କାର ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଶା ଆଶଙ୍କା । ଏପରିସ୍ଥଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ସିଂପୁର ପଞ୍ଚାୟତର ଗଜପୁର ମାଟିର ଝରାସୁନା ଆଲୋଚନାର ପରିସରକୁ ଆସିଛି । ଗଜପୁର ନିକଟ ସିଆନାଳରେ ଆଜିବି ଲୋକେ ମାଟିରୁ ସୁନା ଝାରୁଛନ୍ତି । ସୁନା ମହଙ୍ଗା ହେଉକି ଶସ୍ତା ଏଠାକାର ଲୋକଙ୍କ ପାଇଁ ଝରାସୁନା ହିଁ ଭରସା ।

ପାଣିରୁ ସୁନା ଝାରିବା ସାଧାରଣତଃ ଝରା ଜାତିର ଲୋକଙ୍କ କୌଳିକ ବୃତ୍ତି । ପୂର୍ବରୁ ସିଂପୁର ଗ୍ରାମରେ ଅନେକ ଝରା ପରିବାର ରହୁଥିଲେ । ଝରାମାନେ ପିଢ଼ି ପରେ ପିଢ଼ି ଏହି ଅଞ୍ଚଳର ନଦୀ, ନାଳ ମାନଙ୍କରୁ ସୁନା ଝାରୁଥିବାବେଳେ କୌଣସି କାରଣରୁ ସେମାନେ ଗାଁ ଛାଡି ଚାଲିଯିବାପରେ ବର୍ତ୍ତମାନ ସିଂପୁର ଅଞ୍ଚଳର କିଛି ଭୂୟାଁ ପରିବାର ପାଣିରୁ ସୁନା ଝାରିବା କାର୍ଯ୍ୟକୁ ବୃତ୍ତି କରିଛନ୍ତି । ପାରମ୍ପରିକ ଉପାୟରେ ଫଳା, କାଉଡ଼ି ଓ ରୁଞ୍ଚୁଣି ବ୍ୟବହାର କରି ଏମାନେ ପାଣିରେ ମାଟି ଛାଣି ସୁନା କଣିକା ସଂଗ୍ରହ କରୁଛନ୍ତି । ସୁନା କଣିକା ଗୁଡିକ ଦିନଦିନ ଧରି ସଂଗ୍ରହ କରିବା ପରେ ନିଆଁରେ ଆଉଟି ବଣିଆ ମାଧ୍ୟମରେ ନିଜ ଝିଅ ପୁଅଙ୍କ ପାଇଁ ଅଳଙ୍କାର ଗଢ଼ାଉଛନ୍ତି । ସେଥିରୁ କିଛି କିଛି ବିକି ଗୁଜୁରାଣ ମେଣ୍ଟାଉଛନ୍ତି।

ତେବେ ବଜାରକୁ ହଲ୍ ମାର୍କ ସୁନା ଆସିବା ପରେ ଏହି ଝରାସୁନା କେବଳ ସେହି ସମ୍ପ୍ରଦାୟ ମଧ୍ୟରେ ସୀମିତ ରହିଛି । ବର୍ତ୍ତମାନ ସିଂପୁର ଅଞ୍ଚଳର କରୁଣା ଦେହୁରୀ, ଦଶରଥ ଦେହୁରୀ, ଶିବ ଦେହୁରୀ, ଚେମଣୀ ଦେହୁରୀ, ତ୍ରିବେଣୀ ଦେହୁରୀ, କଲରୀ ଦେହୁରୀ, ହୀରାମଣି ଦେହୁରୀ, ଯୁଗଳ ଦେହୁରୀ ପ୍ରମୁଖ ଭୂୟାଁ ପରିବାରର ଲୋକେ ଗଜପୁର ନିକଟ ସିହା ନାଳରୁ ସୁନାଝାରିବା କାର୍ଯ୍ୟ ଜାରି ରଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ଲୋକେ ଝରା ମାନଙ୍କ ଠାରୁ ସୁନା ଝାରିବା କୌଶଳ ଶିଖିବା ପରେ ୩ ପିଢ଼ି ହେଲା ପାଣିରୁ ସୁନା ଝାରିବା କାମ କରି ଆସୁଛନ୍ତି ।

ପ୍ରଥମେ ରୁଞ୍ଚୁଣି ସାହାଯ୍ୟରେ ନାଳ କୂଳର ବାଲି କାଦୁଅ ମିଶା ମାଟିକୁ ଫଳାରେ ସଂଗ୍ରହ କରାଯାଏ । ଏହାପରେ ଉକ୍ତ ମାଟିରେ ପାଣି ମିଶାଇ ହାତରେ ଚକୁଟି ଦିଆଯାଏ । ଅଳ୍ପ ପାଣି ଉପରେ ଫଳାକୁ ରଖି କୌଶଳକ୍ରମେ ହଲେଇ ହଲେଇ ଗାଡି, ବାଲି କାଦୁଅକୁ ସଫା କରାଯାଏ । ଶେଷରେ କଳା ବୋଲି ମିଶ୍ରିତ ସୁନା କଣିକା ଅଲଗା ହୋଇ ଫଳାରେ ଦେଖାଯାଏ । ସୁନା କଣିକା ଗୁଡିକୁ ଫଳାରୁ ବାହାର କରି କାହୁଡ଼ିରେ ଏକତ୍ରିତ କରିବା ପରେ ଘରକୁ ନିଅନ୍ତି । ପରେ ଘରେ ଅଳ୍ପ ନିଆଁ ଅଙ୍ଗାରରେ ରଖି ଫୁଙ୍କି ଫୁଙ୍କି ମଇଳା ଅଂଶ ପୋଡି ଶୁଦ୍ଧ କରନ୍ତି । ଦିନ ତମାମ ସୁନା ଝାରିବା ପରେ ୧ ରୁ ଦୁଇ ରତି ସୁନା ସଂଗ୍ରହ ହୁଏ ବୋଲି କହିଛନ୍ତି ଚେମଣୀ ଦେହୁରୀ । ଏକ ଭରି ବା ୧୦ ଗ୍ରାମ ସୁନା ସଂଗ୍ରହ କରିବାକୁ ସପ୍ତାହେରୁ ଆରମ୍ଭ କରି ୬ ମାସ ପର୍ଯ୍ୟନ୍ତ ସମୟ ଲାଗେ ।

ଏହି ସୁନା ବିକ୍ରି କରି ପାଞ୍ଚ ପୁଅ, ଝିଅଙ୍କୁ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ବାହାଘର କରିବା ସହ ପରିବାର ପ୍ରତିପୋଷଣ କରି ପାରିଛି ବୋଲି କହିଛନ୍ତି ବିଧବା ଚେମଣୀ ଦେହୁରୀ । ସାତ ବର୍ଷ ବୟସରୁ ସୁନା ଝାରିବା ଆରମ୍ଭ କରିଛି ବୋଲି ୨୫ ବର୍ଷିଆ ହୀରାମଣି ହେହୁରୀ କହିଥିବାବେଳେ ନିଜେ ସଂଗ୍ରହ କରିଥିବା ସୁନାରେ ଅଳଙ୍କାର ଗଢି ନିଜ ବେକରେ ପିନ୍ଧିଥିବା ପ୍ରକାଶ କରିଛନ୍ତି । ନିଜେ ସଂଗ୍ରହ କରିଥିବା ସୁନାରେ ସୁନା କାନ ଫୁଲ ତିଆରି କରିଛନ୍ତି ତ୍ରିବେଣୀ ଦେହୁରୀ । ତେବେ କେବଳ ସିହାନାଳ ନୁହେଁ ଗଜପୁର ନିକଟବର୍ତ୍ତୀ ବଇଙ୍ଗା, ମଲଦା ଆଦି ନଦୀ ସହିତ ବହୁ ଛୋଟ ବଡ ନାଳରୁ ମଧ୍ୟ ସୁନା ଝାରୁଛନ୍ତି ଲୋକେ । ବେଳେବେଳେ ବାହାର ଅଞ୍ଚଳର ଝରାମାନେ ମଧ୍ୟ ଏହି ଅଞ୍ଚଳକୁ ଆସି ସୁନା ଝାରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଏହି ଅଞ୍ଚଳର ମାଟିରେ ସୁନା ରହିଥିବା ଏଠାକାର ଲୋକେ ବହୁ ପୂର୍ବରୁ ଜାଣିଛନ୍ତି । ନିକଟରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ୱାରା ସର୍ଭେ ରିପୋର୍ଟରୁ କେନ୍ଦୁଝର ଜିଲ୍ଲାର ଗଜପୁରରେ ସୁନା ଖଣିର ସନ୍ଧାନ ମିଳିଥିବା କୁହାଯାଇଛି । ଗତ ବର୍ଷ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ବିଧାନସଭାରେ ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତରରେ ରାଜ୍ୟର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଥିବା ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  International Tea Day : ସ୍ୱାଧନତା ସଂଗ୍ରାମୀ ମଧୁସୂଦନ ରାଉତ ଆରମ୍ଭ କରିଥିଲେ ଦୋକାନ, ଚା’ ସହ ଜମୁଛି ରାଜେନୈତିକ ଖଟି

ସୂଚନା ମୁତାବକ, ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ୱାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋପପୁର ଓ ଗଜପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁରହିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ।