ବାଲିଅନ୍ତା,୧୪/୦୩: ହୋଲି  ପୂର୍ବରୁ ବାଲିଅନ୍ତା ଥାନା ଅଧୀନ  ଅଣ୍ଡିଲୋ ଗାଁ ଦାଣ୍ଡ ରକ୍ତର ହୋଲି ଖେଳିଛି । ସାଇକେଲ ଚୋରି  ସନ୍ଦେହରେ ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ  ହାଣିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଛି । ମୃତ  ଯୁବକ ଜଣକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର ୱାର୍ଡର ସୌମ୍ୟରଞ୍ଜନ ଭୋଇ(୩୨) ଓରଫ  ମିଲୁ । ତାଙ୍କୁ ରକ୍ଷା କରିବାକୁ ଯାଇ  ମା' ମୀନା ଭୋଇ ଗୁରୁତର ଆହତ  ହୋଇଛି । ମୀନାଙ୍କ ଅଣ୍ଟା ଓ ହାତରେ  ଖଣ୍ଡା ଚୋଟ ବାଜିଛି । ଏତିକିରେ  ଆକ୍ରମଣକାରୀର ଆତଙ୍କ ଥମିନଥିଲା ।  ତା’ ଖଣ୍ଡା ଚୋଟରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଶେଖ୍‌ ଅଜିତ ମଧ୍ୟ ଗୁରୁତର  ଆହତ ହୋଇଛନ୍ତି । ବାଲିଅନ୍ତା ଥାନା  ପୁଲିସ ଏହି ଘଟଣାରେ ତରୁଣ ଭୋଇ  ଓରଫ ଟିମ (୪୮) ନାମକ ଯୁବକକୁ  ଗିରଫ କରିଛି ।  

ପୁଲିସ ସୂଚନା ମୁତାବକ, ଗାଁରୁ ଗତକାଲି ତରୁଣର  ସାଇକେଲ ଚୋରି ଯାଇଥିଲା ।  ସାଇକେଲଟିକୁ ସୌମ୍ୟରଞ୍ଜନ ଓ  ତାଙ୍କର ସାଙ୍ଗ ଶେଖ ଅଜିତ ଚୋରି  କରି ନେଇଥିବା ତରୁଣ ସନ୍ଦେହ  କରିଥିଲା । ବୁଧବାର ଉଭୟଙ୍କୁ  ପଚରାଉଚରା କରିଥିଲା । କିନ୍ତୁ  ସେମାନଙ୍କ ଉତ୍ତର ସନ୍ତୋଷଜନକ  ନଥିବାରୁ ତରୁଣର ସନ୍ଦେହ ଆହୁରି  ବଢ଼ିଥିଲା । ଗତକାଲିଠୁ ସେ ଉଭୟ  ସୌମ୍ୟରଞ୍ଜନ ଓ ଅଜିତକୁ ପାନେ  ଦେବାକୁ ସୁଯୋଗ ଖୋଜୁଥିଲା । ଗୁରୁବାର ସଂଧ୍ୟା ସାଢ଼େ ୭ଟା ବେଳେ  ସୌମ୍ୟରଞ୍ଜନ ଓ ଶେଖ ଅଜିତ କାମ  ସାରି ବାଇକରେ ଗାଁକୁ ଫେରୁଥିଲେ । ପୂର୍ବରୁ ଗାଁ ଦାଣ୍ଡରେ ଖଣ୍ଡା ଧରି ଛକି  ବସିଥିବା ତରୁଣ ଉଭୟଙ୍କୁ ଅଟକାଇ ସାଇକେଲ ବିଷୟରେ ପଚାରିଥିଲା ।  ଯାହାକୁ ନେଇ ଉଭୟଙ୍କ ଭିତରେ  ଯୁକ୍ତିତର୍କ ହୋଇଥିଲା । ତରୁଣ ଖଣ୍ଡା ଧରି ଗୋଡ଼ାଇବାରୁ ଉଭୟେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ।  ବାଇକ ପଛରେ ବସିଥିବା  ସୌମ୍ୟରଞ୍ଜନଙ୍କ ବେକକୁ ତରୁଣ ଚୋଟ ପରେ ଚୋଟ ମାରି ଚାଲିଥିଲା । ସୌମ୍ୟରଞ୍ଜନଙ୍କୁ ବଞ୍ଚାଇବାକୁ ଯାଇ  ସେଠାକୁ ଦୌଡ଼ି ଆସିଥିବା ତାଙ୍କର  ମା’ ମୀନା ଆକ୍ରମଣର ଶିକାର  ହୋଇଥିଲେ । ଶେଖ ଅଜିତ ମଧ୍ୟ  ତରୁଣ ଆକ୍ରମଣରୁ ବର୍ତ୍ତି ପାରିନଥିଲେ । ଖଣ୍ଡା ଚୋଟ ଦେହରେ ବାଜିଥିଲେ ମଧ୍ୟ ବାଇକ ଛାଡ଼ି ଦୌଡ଼ି ପଳାଇବାରୁ ରକ୍ଷା ପାଇଯାଇଥିଲେ । ଅଜିତ କ୍ଷତାକ୍ତ  ହୋଇଥିଲେ ହେଁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା ।  ସ୍ଥାନୀୟ ଲୋକେ ତରୁଣକୁ କାବୁ କରି ବାଲିଅନ୍ତା ଥାନା ପୁଲିସକୁ ଜଣାଇଥିଲେ ।

ଖବର ପାଇ ବାଲିଅନ୍ତା ଥାନା ପୁଲିସ  ସୌମ୍ୟରଞ୍ଜନଙ୍କ ମୃତଦେହ ଜବତ କରିଥିଲା । ଆହତ ମୀନା ଓ  ଅଜିତକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପୁଲିସ ଘଟଣାସ୍ଥଳରୁ  ତରୁଣକୁ ଗିରଫ କରିବା ସହିତ ତା ନିକଟରୁ ଆକ୍ରମଣରେ  ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି । ଚୋରି ସନ୍ଦେହରେ ତରୁଣ  ଏଭଳି ବର୍ବରକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲେ ହେଁ  ଆଉ ଏକ ଦିଗ ସାମ୍ନାକୁ ଆସିଛି । ଦେଢ଼ ବର୍ଷ ତଳେ ତରୁଣର ସ୍ତ୍ରୀ  ଜଣେ ଯୁବକ ସହ ଖସି ପଳାଇଥିଲା । ସମ୍ପୃକ୍ତ ଯୁବକ ହେଉଛନ୍ତି  ସୌମ୍ୟରଞ୍ଜନଙ୍କ ସହକର୍ମୀ । ସେବେଠୁ ତରୁଣ ମାନସିକସ୍ତରରେ  ଭାଙ୍ଗି ପଡି଼ଥିଲା । ପୂର୍ବରୁ ଏହି ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ  ସହ ବଚସା ହୋଇଥିବା ଗ୍ରାମବାସୀ କହିଛନ୍ତି ।

ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ