ନୂଆଦିଲ୍ଲୀ,୧୭/୧୨:ଇସ୍ତଫା ଦେଲେ କାନାଡ଼ା ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ। ଫ୍ରିଲାଣ୍ଡ କାନାଡ଼ାର ଉପପ୍ରଧାନମନ୍ତ୍ରୀ ସହ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ରହିଥିଲେ । ସଂସଦରେ ଅର୍ଥନୈତିକ ଅପଡେଟ୍ ଦେବାର କିଛି ଘଣ୍ଟା ପୂର୍ବରୁ ଫ୍ରିଲାଣ୍ଡ ନିଜ ପଦ ଛାଡ଼ିଛନ୍ତି । ଟ୍ରୁଡୋଙ୍କ କ୍ୟାବିନେଟରୁ ଫ୍ରିଲାଣ୍ଡଙ୍କ ପରି ଜଣେ ଶକ୍ତିଶାଳୀ ନେତ୍ରୀ ଓହରିଯିବା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଲିବେରାଲ ପାର୍ଟି ପାଇଁ ଏକ ବଡ଼ ଝଟକା । ଫ୍ରିଲାଣ୍ଡ ଡେପୁଟି ପିଏମ୍ ପଦ ଛାଡ଼ିବା ପରେ କିଏ ଏହି ପଦ ସମ୍ଭାଳୁଛନ୍ତି ତା’ ଉପରେ ସଭିଙ୍କ ନଜର ରହିଛି । ସେପଟେ ଜଷ୍ଟିନ ଟ୍ରୁଡ଼ୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଚର୍ଚ୍ଚା ହେଉଛି ।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପାଇଁ କିପରି ପ୍ରସ୍ତୁତ ହେବ ସେନେଇ ମତଭେଦ ହେତୁ ଫ୍ରିଲାଣ୍ଡ କ୍ୟାବିନେଟ ଛାଡିଥିବା ଜଣାପଡ଼ିଛି। ଟ୍ରମ୍ପଙ୍କ ୨୫% ଶୁଳ୍କ ଲାଗୁ ହେବାର ଧମକକୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିବାରେ ସେ ଜଣେ ପ୍ରମୁଖ ବ୍ୟକ୍ତି ବୋଲି କୁହାଯାଉଛି। ତେବେ ଫ୍ରିଲାଣ୍ଡଙ୍କ ଏଭଳି ନିଷ୍ପତି ପାଇଁ ଝଟକାରେ ପ୍ରଧାନମନ୍ତ୍ରୀ । ତେବେ ସଂସଦରେ ଅର୍ଥନୈତିକ ଅପଡେଟ୍ ଦେବାର କିଛି ଘଣ୍ଟା ପୂର୍ବରୁ ଫ୍ରିଲାଣ୍ଡ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଡିସେମ୍ବର ୧୪ ରେ ଟ୍ୟାକ୍ସ ହଲିଡ଼େ ଲାଗୁ ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ ସରକାର ରିହାତି ଚେକ୍ ପାସ୍ କରିବା ପାଇଁ ଆବଶ୍ୟକ ଭୋଟ୍ ପାଇନାହାଁନ୍ତି।କୋଭିଡ ସମ୍ବନ୍ଧୀୟ ଆୟ ସହାୟତା କାର୍ଯ୍ୟକ୍ରମରେ ଖର୍ଚ୍ଚ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତତ୍କାଳୀନ ଅର୍ଥମନ୍ତ୍ରୀ ବିଲ୍ ମୋର୍ନେଓଙ୍କ ସହ ଝଗଡ଼ା ହେବା ପରେ ଫ୍ରିଲାଣ୍ଡ ଏହି ଚାକିରି ପାଇଥିଲେ।