ମାଲକାନଗିରି, ୨୪/୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ପୁଲିସକୁ ସଫଳତା ମିଳିଥିବାବେଳେ ମାଓବାଦୀ ସଂଗଠନକୁ ବଡ଼ ଝଟକା ଲାଗିଛି । ସୀମାନ୍ତ ସୁକୁମା, ବିଜାପୁର, ଦନ୍ତେୱାର୍ଡ ଜିଲ୍ଲାର ୪ଜିଲ୍ଲାରେ ୫୩ଜଣ ମାଓବାଦୀ ଆତ୍ମ ସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି । ଆସନ୍ତା ୨୮ତାରିଖଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାବେଳେ ଏହା ପୂର୍ବରୁ ଲାଲ୍ ବାହିନୀର ହାତ ଛାଡିଛନ୍ତି ୫୩ଜଣ ମାଓବାଦୀ ।
ଆଜି ପଡ଼ୋଶୀ ସୁକୁମା ଜିଲ୍ଲାରେ ୫ଜଣ ଓ ନାରାୟଣପୁର ଜିଲ୍ଲାରେ ୮ଜଣ ମାଓବାଦୀ ଆତ୍ମ ସମର୍ପଣ କରିବା ପରେ ବିଜାପୁର ଜିଲ୍ଲାରେ ୨୫ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଠିକ୍ ସେହିପରି ଦନ୍ତେୱାଡା ଜିଲ୍ଲାରେ ପୁଣି ୧୫ଜଣ ହାଡକୋର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୧୭ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗତ ୨୦ବର୍ଷ ଧରି ଏମାନେ ମାଓ ସଂଗଠନରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ୍ ଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ମାଓଗଡ ଭୁଷୁଡିବାରେ ଲାଗିଥିବାବେଳେ ସରକାରଙ୍କ ମାଓବାଦୀଙ୍କ ଆତ୍ମସମ ର୍ପଣ ନୀତିରେ ପ୍ରଭାବିତ ହୋଇ ଏମାନେ ଦନ୍ତେୱାଡା ଏସପି ଓ ସିଆରପିଏଫ କମାଣ୍ଡେଣ୍ଟ ପାଖରେ ଆତ୍ମସମର୍ପଣ କରିଛନ୍ତି ।
ହେଲେ ଆତ୍ମ ସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ଦନ୍ତେୱାଡା ଅତିରକ୍ତ ଏସପି ଉଦିତ ପୁଷ୍କର କହିଛନ୍ତି । ସେହିପରି ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ବସ୍ତର ଆଇଜି ସୁନ୍ଦରରାଜ ପି ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଏସଜେଡସିଏମ ମାଓବାଦୀଙ୍କ ମୁଣ୍ଡ ଉପରେ ୨୫ଲକ୍ଷ ଟଙ୍କାର ପୁରସ୍କାର ରହିଥିବାବେଳେ ମୋଟ ୨୫ମାଓବାଦୀଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ୧ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।