ନୂଆଦିଲ୍ଲୀ: ସଂସଦରେ ୱାକଫ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ବିହାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଲୋକସଭାରେ ୱାକଫ ବିଲ୍ ସମର୍ଥନ କରିବାରୁ ଜେଡିୟୁର ବରିଷ୍ଠ ନେତା ଡକ୍ଟର ମହମ୍ମଦ କାସିମ୍ ଅନସାରୀ ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ବିହାର ନିର୍ବାଚନ ପୂର୍ବରୁ ଏହାକୁ ଜେଡିୟୁ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।
ସୂଚନାଥାଉକି, ଡକ୍ଟର ମହମ୍ମଦ କାସିମ ଅନସାରୀ, ଜେଡିୟୁର ଜଣେ ସଂଖ୍ୟାଲଘୁ ନେତା । ଏହା ସହିତ ବିହାରର ଢାକା ବିଧାନସଭା ଆସନରୁ ମଧ୍ୟ ପୂର୍ବତନ ପ୍ରାର୍ଥୀ ହୋଇସାରିଛନ୍ତି। ଅନେକ ସଂଖ୍ୟାଲଘୁ ନେତାଙ୍କ ପ୍ରତିବାଦ ପରେ, ସେ ଏବେ ଇସ୍ତଫା ଦେଇଛନ୍ତି । ଡକ୍ଟର ମହମ୍ମଦ କାସିମ ଅନସାରୀ ଏନେଇ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି ।
ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, 'ସେ ଏବଂ ଲକ୍ଷ ଲକ୍ଷ ଭାରତୀୟ ମୁସଲମାନ ବିଶ୍ୱାସ କରୁଥିଲେ ଯେ ନୀତିଶ କୁମାର ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ଚିନ୍ତାଧାରାର ପତାକା ବାହକ, କିନ୍ତୁ ଏବେ ଏହି ବିଶ୍ୱାସ ଭାଙ୍ଗି ଯାଇଛି । କାସିମ ଅନସାରୀ କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍ ଭାରତୀୟ ମୁସଲମାନ ମାନଙ୍କ ବିରୁଦ୍ଧରେ। ଆମେ ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିପାରିବୁ ନାହିଁ। ଏହି ବିଲ୍ ସମ୍ବିଧାନର ଅନେକ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି, ତେଣୁ ମୁଁ ସ୍ୱେଚ୍ଛାକୃତ ଭାବରେ ଦଳର ପ୍ରାଥମିକ ସଦସ୍ୟତା ଏବଂ ଅନ୍ୟାନ୍ୟ ଦାୟିତ୍ୱରୁ ଇସ୍ତଫା ଦେଉଛି।