ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିଜ୍ଞାପନ ହୋର୍ଡିଂ କ୍ଷେତ୍ରରେ ବଡ଼ ଦୁର୍ନୀତି, କୋଟି କୋଟି ରାଜସ୍ୱ ହରାଉଛି ବିଏମ୍‌ସି

Published By : Prameya | July 17, 2025 10:10 AM

ଭୁବନେଶ୍ୱର ୧୭/୦୭:  ବିଜ୍ଞାପନ ହୋର୍ଡିଂ କ୍ଷେତ୍ରରେ ବଡ଼ ଦୁର୍ନୀତି  ହୋଇଛି । କୋଟି କୋଟି ଟଙ୍କାର ରାଜସ୍ୱ ହେରଫେର ହେଉଛି । ସ୍ମାର୍ଟ ଜନପଥରେ ଅନୁମତି ମିଳିଥିବା ଜାଗାରୁ ଅଧିକ ବର୍ଗଫୁଟରେ ବିଜ୍ଞାପନ ମରାଯାଉଛି ।  ଏହି ଅର୍ଥ କାହା ପକେଟ୍‌କୁ ଯାଉଛି ସେ  ସଂକ୍ରାନ୍ତରେ ବିଏମ୍‌ସି ଯାଞ୍ଚ କରୁନଥିବା  ଅଭିଯୋଗ ହେଉଛି । 

ବାଣୀବିହାରରୁ ଶିଶୁଭବନ ସ୍ମାର୍ଟ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି  ଲିମିଟେଡ୍‌(ବିଏସ୍‌ସିଏଲ) ପକ୍ଷରୁ  ବିକାଶ କାର୍ଯ୍ୟ କରାଯାଇଥିଲା । ୩.୯  କିମି ଦୈଘ୍ୟ ବିଶିଷ୍ଟ ଏହି ରାସ୍ତାକୁ ପ୍ରଥମେ ନୋ ହୋର୍ଡିଂ ଜୋନ୍‌ କରିବାକୁ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ହୋର୍ଡିଂ ମାରିବାକୁ  ନିଷ୍ପତ୍ତି ହୋଇଥିଲା ।  

ଏଥିଲାଗି ବିଏସ୍‌ସିଏଲ୍‌ ପକ୍ଷରୁ  ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏକ ଘରୋଇ କମ୍ପାନି ଏହାର ଟେଣ୍ଡର  ନେଇଥିଲା । କିଛି ବର୍ଷ ବିଏସ୍‌ସିଏଲ୍‌  ଅର୍ଥ ଆଦାୟ କରିବା ପରେ ବିଏମ୍‌ସି  ଏଥିରେ ପଶିଥିଲା । ବିଜ୍ଞାପନ ଅର୍ଥ  ଆଦାୟରେ କେବଳ ବିଏମ୍‌ସିର  ଅଧିକାର ଥିବାରୁ ଏହା ତାଙ୍କୁ ହସ୍ତାନ୍ତର  କରିବାକୁ ଦାବି ଉଠିଥିଲା । ମେୟର ଓ  କର୍ପୋରେଟର ଏହାକୁ ନିଜ ଅଧୀନକୁ  ଆଣିବାକୁ ଅଡ଼ି ବସିଥିଲେ । ଏହା ପରେ  ବିଏମ୍‌ସି ହାତକୁ କ୍ଷମତା ଆସିଥିଲା ।  

ବିଏମ୍‌ସି ଜନପଥରୁ ରାଜସ୍ୱ  ଆଦାୟ କଲା ବେଳେ ନୂଆ  କେଳେଙ୍କାରୀ ପଦାକୁ ଆସିଛି ।  ବିଜ୍ଞାପନ ପାଇଁ ଟେଣ୍ଡରରେ କିଛି  ସର୍ତ୍ତ ରହିଥିଲା । ଏଥିରେ ସ୍ମାର୍ଟ କିଓସ୍କ  ଉପରେ ବିଜ୍ଞାପନ ମାରିବାକୁ ଉଲ୍ଲେଖ  ରହିଥିଲା । ଉକ୍ତ ଘରୋଇ କମ୍ପାନିକୁ  ୪୭୦୦ ବର୍ଗଫୁଟରେ ବିଜ୍ଞାପନ  ମାରିବାକୁ ଅନୁମତି ଦିଆଯାଇଥିଲା ।  ହେଲେ ସଂସ୍ଥା କାରସାଦି କରି ପ୍ରାୟ ୮  ହଜାରରୁ ଅଧିକ ବର୍ଗଫୁଟରେ ବିଜ୍ଞାପନ  ମାରିଥିବା ନେଇ ଅଭିଯୋଗ ହୋଇଛି ।  ଅର୍ଥାତ ନିର୍ଦ୍ଧାରିତ ଜାଗା ଠାରୁ ପ୍ରାୟ ୨  ଗୁଣା ଜାଗାରେ ବିଜ୍ଞାପନ ମରାଯାଇଛି ।  ଜନପଥରେ ଥିବା ଟ୍ରାନ୍ସଫର୍ମର ଉପରେ  ବିଜ୍ଞାପନ ମରାକୁ ନେଇ ମଧ୍ୟ ପ୍ରଶ୍ନ  ଉଠିଛି ।ଏହା ସହ କିଓସ୍କ ଉପରେ  ମରାଯାଉଥିବା ବିଜ୍ଞାପନର ଅବଧି ଗତ  ଫେବ୍ରୁଆରୀରୁ ସରିଲାଣି । ହେଲେ  ସମୟ ବଢ଼ାଇ ବିଜ୍ଞାପନ ମରାଯାଉଛି ।  

ଏହି ଦୁର୍ନୀତି ଫଳରେ ବିଏମ୍‌ସି  କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ।  ଖାଲି ସ୍ମାର୍ଟ ଜନପଥ ନୁହେଁ । ରାଜଧାନୀର  ବିଭିନ୍ନ ସ୍ଥାନରେ ଏଜେନ୍ସି ପକ୍ଷରୁ ନିର୍ଦ୍ଧାରିତ  ବର୍ଗଫୁଟରୁ ଅଧିକ ଜାଗାରେ ହୋର୍ଡିଂ  ମରାଯାଉଛି । ଲଲି ପପ୍‌ ବିଲ୍‌ ବୋର୍ଡରେ  ବି କୌଣସି ନିର୍ଦ୍ଦିଷ୍ଟ ନିୟମ ରହୁନି ।  ମନଇଚ୍ଛା ବିଲ୍‌ ବୋର୍ଡ ମାରି ରାଜସ୍ୱ  ଫାଙ୍କୁଛନ୍ତି । ଫଳରେ ବିଏମ୍‌ସିର ରାଜସ୍ୱ  ହାନି ହେଉଛି । ବିଏମ୍‌ସି କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା ।  କର୍ପୋରେଟର ମାନେ ଜନପଥରେ  ଲାଗିଥିବା ହୋର୍ଡିଂର ଯାଞ୍ଚ କରିବାକୁ ଦାବି  କରିଥିଲେ । ଏ ସମ୍ପର୍କରେ ବିଏମ୍‌ସିର  ଡେପୁଟି କମିଶନର (ରାଜସ୍ୱ) ଅଜୟ  କୁମାର ମହାନ୍ତି କହିଛନ୍ତି, ଜନପଥରେ  ଅଧିକ ଜାଗାରେ ହୋର୍ଡିଂ ଲାଗିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.