ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ଜେଡିଏସ୍‌ରୁ ନିଲମ୍ବିତ ନେତା ପ୍ରଜ୍ବଳ ରେବାନ୍ନାଙ୍କୁ ଝଟକା ଦେଇଛନ୍ତି । ଯୌନ ଶୋଷଣ ମାମଲାରେ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଧାରା ୩୭୦ ଅନୁସାରେ ପ୍ରଜ୍ବଳଙ୍କ ବିରୋଧରେ କୌଣସି ମାମଲା ହୋଇପାରିବ ନାହିଁ ବୋଲି ତାଙ୍କ ଓକିଲ ପ୍ରଭୁଲିଙ୍ଗ ନବଦଗୀ କୋର୍ଟରେ ତର୍କ ରଖିଥିଲେ । ସେ ଆହୁରି କହିଥିଲେ, ୪ ବର୍ଷ ପରେ ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ପଷ୍ଟୀକରଣରେ ସ୍ପଷ୍ଟତା ନାହିଁ । ସେପଟେ ପ୍ରତିପକ୍ଷ ଓକିଲ ରେବାନ୍ନାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ । 

ପ୍ରଜ୍ବଳ ରେବାନ୍ନା ତଦନ୍ତରେ ସହଯୋଗ କରୁନାହାନ୍ତି ଏବଂ ଯାଞ୍ଚ ପାଇଁ ନିଜ ଫୋନ୍‌ ଦେଉନାହାନ୍ତି ବୋଲି କହିଥିଲେ ଓକିଲ ରବିବର୍ମା କୁମାର ।  ୨୪ ଅଗଷ୍ଟ ୨୦୨୪ରେ ଏସଆଇଟି ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଯୌନ ଶୋଷଣ ସଂପର୍କିତ ୪ଟା ମାମଲା ମଧ୍ୟରୁ ଗୋଟିଏରେ ଚାର୍ଜସିଟ୍‌ ଦାଖଲ କରିଥିଲା । ୨୧୪୪ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ରେବାନ୍ନାଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ଯୌନ ଶୋଷଣ ମାମଲାରେ ପ୍ରଜ୍ବଳଙ୍କ ସଂପୃକ୍ତି ନେଇ ଦର୍ଶାଇଥିଲା ଏସଆଇଟି ।  

ସୂଚନାଯୋଗ୍ୟ, ପ୍ରଜ୍ବଳ ରେବାନ୍ନା କର୍ଣ୍ଣାଟକର ବଡ଼ ରାଜନୈତିକ ପରିବାରର ଜଣେ ସଦସ୍ୟ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି । ତାଙ୍କ ପିତା ଏଚଡି ରେବାନ୍ନା ବରିଷ୍ଠ ନେତା ଏବଂ ରାଜ୍ୟର ପୂର୍ବତନ ମନ୍ତ୍ରୀ । ପ୍ରଜ୍ବଳ ରେବାନ୍ନା ୨୦୧୯ରେ ହାସନ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲା ।  ୨୦୨୪ ନିର୍ବାଚନରେ ସେ ଏନଡିଏର ପ୍ରାର୍ଥୀ ଭାବରେ ହାସନ ଆସନରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ସେଠାରୁ ପରାସ୍ତ ହୋଇଥିଲେ । 

ନିର୍ବାଚନ ପରେ ତାଙ୍କ ବିରୋଧରେ ଯୌନ ଶୋଷଣ ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ସେ ଦେଶ ଛାଡ଼ି ମଧ୍ୟ ପଳାଇଥିଲେ । ଦେଶକୁ ଫେରିବା ପରେ ତାଙ୍କୁ ଏୟାରପୋର୍ଟରୁ ପୋଲିସ ଗିରଫ କରିଥିଲା । ଆଉ ଏବେ ବି ପ୍ରଜ୍ବଳ ରେବାନ୍ନା ଜେଲ୍‌ରେ ଥିବା ବେଳେ ଆଜି ତାଙ୍କର ଜାମିନ ଆବେଦନ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।