ନୂଆଦିଲ୍ଲୀ,୩୦।୬: ‘ଅପରେସନ୍ ସିନ୍ଦୂର’ ପରେ ଭାରତ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ୫୨ଟି ସାଟେଲାଇଟ୍‌ ଲଞ୍ଚ କରିବାର ପ୍ରସ୍ତୁତିରେ ଅଛି। ଏହି ସବୁ ସାଟେଲାଇଟ୍ ସମ୍ପୂର୍ଣ୍ଣ ଭାବରେ ସେନା ପାଇଁ କାମ କରିବ। ଏହାଦ୍ବାରା ପାକିସ୍ତାନ ସହିତ ଶତ୍ରୁ ଦେଶର ଅଞ୍ଚଳର ସବୁ ସ୍ଥାନରେ ନଜର ରଖିହେବ। ଏହାଛଡା ସେନା ପାଇଁ ଏକ ସ୍ବତନ୍ତ୍ର ସ୍ପେସ୍‌ ଡକ୍ଟ୍ରିନକୁ ଅନ୍ତିମ ରୂପ ଦେବା ପାଇଁ ପକ୍ରିୟା ମଧ୍ୟ ଚାଲିଛି। ଅପରେସନ୍ ସିନ୍ଦୂର ବେଳେ ଭାରତ ସାଟେଲାଇଟ୍‌ ସିଷ୍ଟମ ଦମ୍‌ରେ ଖୁବ୍  ସଫଳତା ପାଇଛି। ଏହା ସହ ପାକିସ୍ତାନର ବିଭିନ୍ନ ସାମରିକ ସେନା ଆଡ୍ଡା ଉପରେ ମଧ୍ୟ ନଜର ରଖିଥିଲା। ଏହାଦ୍ବାରା ସେନା ସଠିକ୍‌ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସକ୍ଷମ ହୋଇଥିଲା।

ଭାରତ ଦ୍ବାରା ଏହି ସାଟେଲାଇଟ୍‌ ଲଞ୍ଚ ସ୍ପେସ୍‌ ବେସଡ୍‌ ସର୍ଭିଲାନ୍ସ ପୋଗ୍ରାମର ତୃତୀୟ ପର୍ଯ୍ୟାୟ ଅଂଶ ରହିଛି। ଏହି ପୋଗ୍ରାମକୁ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସୁରକ୍ଷା କ୍ୟାବିନେଟ୍ କମିଟିରେ ମଞ୍ଜୁରୀ ମିଳିଥିଲା। ଏଥିରେ ମୋଟ ୨୬,୯୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଅନୁସାରେ, ୨୧ ସାଟେଲାଇଟ୍ ଇସ୍ରୋ ଲଞ୍ଜ କରିବ। ସେଭଳି ୩୧ ସାଟେଲାଇଟ୍‌ ପ୍ରାଇଭେଟ୍ କମ୍ପାନୀ ଦ୍ବାରା ଲଞ୍ଚ କରାଯିବ। ପ୍ରଥମ ଦୁଇଟି ସାଟେଲାଇଟ୍‌ ଆଗାମୀ ବର୍ଷ ଅପ୍ରେଲରେ ଲଞ୍ଚ କରାଯିବ। ସେଭଳି ୨୦୨୯ ଶେଷ ପର୍ଯ୍ୟନ୍ତ ସମସ୍ତ ୫୨ ସାଟେଲାଇଟ୍‌ ମୁତୟନ କରି ଦିଆଯିବ। ଏହା ଡିଫେନ୍ସ ସ୍ପେସ୍‌ ଏଜେନ୍ସିର ପ୍ରୋଜେକ୍ଟର ଅଂଶ, ଯାହାକି ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଚଳାଯାଉଛି। 

ମିଳିଥିବା ସୂଚନା ଅନୁସାରେ, ଏସ୍‌ବିଏସ୍-୩ର ଲକ୍ଷ୍ୟ ଚୀନ୍ ଓ ପାକିସ୍ତାନର ଅଧିକରୁ ଅଧିକ ଅଞ୍ଚଳରେ ନଜର ରଖିବା। ଏହାଛଡା ଭାରତ ମହାସାଗର ଅଞ୍ଚଳ ଉପରେ ମଧ୍ୟ ନଜର ରଖିବ। ଏହାଛଡା ସ୍ପେସ୍‌ ଡକ୍ଟ୍ରିନକୁ ନେଇ ମଧ୍ୟ ଦ୍ରୁତ ଗତିରେ କାମ ଚାଲିଚି। ଏହାଛଡା ଇଣ୍ଡିଆନ ଏୟାରଫୋର୍ସ ତିନୋଟି ହାଇ ଅଲ୍ଟିଟ୍ୟୁଡ୍‌ ପ୍ଲାଟଫର୍ମ ସିଷ୍ଟମ ଏୟାରକ୍ରାଫ୍ଟର ପ୍ରସ୍ତୁତିରେ ଲାଗିଛି। ଏହି ଏୟାରକ୍ରାଫ୍ଟ ମାନବବିହୀନ ହେବ ଓ ସାଟେଲାଇଟ୍‌ ଆଧାରରେ ଚାଲିବ।