ପାଟନା: ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ନିଜ ନାମ ନିର୍ବାଚନ ଆୟୋଗ (ଇସିଆଇ) ର ନୂଆ ଭୋଟର ତାଲିକାରୁ ହଟାଯାଇଛି ବୋଲି ଦାବି କରିବା ପରେ ବିବାଦ ଘନେଇବାରେ ଲାଗିଛି। ଏହାକୁ ନେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଶନିବାର ଦିନ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଚୌଧୁରୀ ତେଜସ୍ୱୀଙ୍କୁ "ଜନସାଧାରଣଙ୍କୁ ଭ୍ରମିତ କରୁଥିବା" ଏବଂ "ମିଛ ବିବୃତି" ଦେଇ ରାଜନୈତିକ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହି କଟାକ୍ଷ କରିଛନ୍ତି।
ସୂଚନା ମୁତାବକ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜସ୍ୱୀ ଯାଦବ, ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ ବିହାରର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସଆଇଆର) ପରେ ତାଙ୍କ ନାମ ଭୋଟର ତାଲିକାରୁ ହଟାଯାଇଛି। ସେ ନିର୍ବାଚନ ଆୟୋଗର ମୋବାଇଲ ଆପରେ ନିଜର ଇପିଆଇସି (ଇଲେକ୍ଟୋରାଲ ଫୋଟୋ ଆଇଡେଣ୍ଟିଟି କାର୍ଡ) ନମ୍ବର ପ୍ରବେଶ କରି ଦେଖାଇଥିଲେ ଯେ ତାଙ୍କ ନାମ ତାଲିକାରେ ନାହିଁ। ଏହା ସହିତ ସେ ଅଭିଯୋଗ କରିଥିଲେ ଯେ ଏସଆଇଆର ପ୍ରକ୍ରିୟା ସ୍ୱଚ୍ଛ ନୁହେଁ ଏବଂ ଏହା ଗରିବ ଓ ପଛୁଆ ସମ୍ପ୍ରଦାୟର ଭୋଟରଙ୍କୁ ନାମ ହଟାଇ ଅସୁବିଧାରେ ପକାଇବା ପାଇଁ ଶାସକ ଦଳର ଏକ ଷଡ଼ଯନ୍ତ୍ର।

ତେଜସ୍ୱୀଙ୍କ ଏହି ଦାବିକୁ ଖଣ୍ଡନ କରି ନିର୍ବାଚନ ଆୟୋଗ ଏକ ବିବୃତି ଜାରି କରି କହିଛି ଯେ ତେଜସ୍ୱୀଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ସିରିଏଲ ନମ୍ବର ୪୧୬ରେ ପାଟଣାର ବିହାର ଆନିମଲ ସାଇନ୍ସ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ବିଲ୍ଡିଂ ପୋଲିଂ ବୁଥରେ ରହିଛି। ବିଜେପି ନେତା ଅମିତ ମାଲବୀୟା ମଧ୍ୟ ଏକ୍ସରେ ଏକ ସ୍କ୍ରୀନସଟ ସେୟାର କରି ତେଜସ୍ୱୀଙ୍କ ଦାବିକୁ "ମିଛ ଖବର" ବୋଲି କହିଛନ୍ତି ଏବଂ ଜନସାଧାରଣଙ୍କୁ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ତେଜସ୍ୱୀ ଯାଦବ, କେବଳ ମୁଁ ନୁହେଁ, ଆପଣଙ୍କ ପରିବାର ଏବଂ ସମଗ୍ର ବିହାର ଆପଣଙ୍କ କ୍ଷମତା ଉପରେ ସନ୍ଦେହ କରୁଛି। ଆପଣଙ୍କ ନାମ ଏସଆଇଆର ଡ୍ରାଫ୍ଟରେ ସିରିଏଲ ନମ୍ବର ୪୧୬ରେ ଆପଣଙ୍କ ପିତାଙ୍କ ସହିତ ସମ୍ମାନରେ ନଥିଭୁକ୍ତ ହୋଇଛି। ଏବେ ଏହି ଭ୍ରମିତ କରୁଥିବା ଏବଂ ଠକେଇର ବ୍ୟବସାୟ ବନ୍ଦ କରନ୍ତୁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରଜେଡିର "ଭ୍ରମ ଏବଂ ଭୟ" ବାରମ୍ବାର ମିଛ ପ୍ରମାଣିତ ହେଉଛି।
तेजस्वी जी आपकी योग्यता पर मुझे ही नहीं, आपके परिवार और पूरे बिहार को भी शंका है। S.I.R ड्राफ्ट में अपना नाम खोजना आपके लिए बहुत मुश्किल लग रहा होगा। आपका नाम 416 नंबर पर ससम्मान पिताजी के साथ दर्ज है, आप देख सकते हैं।
— Samrat Choudhary (@samrat4bjp) August 2, 2025
अब तो भ्रामक और फर्जीवाड़े की दुकानदारी बंद कीजिए। राजद का… pic.twitter.com/FXJ9aB6pUd
ଏସଆଇଆର ପ୍ରକ୍ରିୟାକୁ ନେଇ ବିହାରରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ତେଜସ୍ୱୀ ଏବଂ ମହାଗଠବନ୍ଧନ ଅଭିଯୋଗ କରିଛନ୍ତି ଯେ ଏହି ପୁନରୀକ୍ଷଣ ଏନଡିଏ ସରକାରଙ୍କ ନିର୍ଦ୍ଦେଶରେ ଗରିବ ଓ ପଛୁଆ ଭୋଟରଙ୍କୁ ଲକ୍ଷ୍ୟ କରି କରାଯାଉଛି। ଯାହା ନିର୍ବାଚନକୁ ପ୍ରଭାବିତ କରିପାରେ। ଅନ୍ୟପକ୍ଷରେ, ବିଜେପି ଏବଂ ଜେଡି(ୟୁ) ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହା ଏକ ନିୟମିତ ପ୍ରକ୍ରିୟା ଏବଂ କେବଳ ଭାରତୀୟ ନାଗରିକମାନେ ଭୋଟ ଦେବା ପାଇଁ ଅଧିକାର ରଖିଛନ୍ତି। ଅଣ-ଭାରତୀୟ ମାନଙ୍କର ବୋଟ ଦବାର କୌଣସି ଅଧିକାର ନାହିଁ। ଯେଉଁ ମାନଙ୍କର ନାମ କଟାଯାଇଛି ସେମାନେ ଚଞ୍ଟକତା ଓ ଜାଲିଆତି କରି ଏହି ପ୍ରମାଣ ପତ୍ର ହାତେଇ ଥିଲେ।
ନିର୍ବାଚନ ଆୟୋଗ କହିଛି ଯେ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ତାଲିକାରେ ସଂଶୋଧନ ପାଇଁ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ଯଦି କାହାର ନାମ ଭୁଲ ଭାବେ ହଟାଯାଇଛି, ସେମାନେ ଆବଶ୍ୟକୀୟ ଦସ୍ତାବିଜ ସହିତ ଫର୍ମ ୬ ପୂରଣ କରି ନାମ ପୁନଃନଥିଭୁକ୍ତ କରିପାରିବେ।