ପାଟନା,୧୦/୦୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦୁଇ ଭୋଟର କାର୍ଡ ବିବାଦକୁ ନେଇ ସରଗରମ ରହିଛି ରାଜନୀତି । ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଇପିକ ନମ୍ବର ଥିବା କଥା ଉଠିବା ପରେ ଇସି ତାଙ୍କୁ ଜାବାବ୍ ମାଗିଥିଲେ । ଏହାପରେ ତେଜସ୍ୱୀ ଯାଦବ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ପାଖରେ ଦୁଇଟି ଭୋଟର କାର୍ଡ ସହ ବୟସ ଅଲଗା ଅଲଗା ରହିଥିବା କହିଛନ୍ତି ତେଜସ୍ୱୀ । ଯାହାର ଜବାବ୍‌ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ।

ତେଜସ୍ୱୀ ଯାଦବ କହିଛନ୍ତି,'' ଆଶ୍ଚର୍ଯ୍ୟକର କଥା ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କର ଦୁଇଟି ଭୋଟ ପରିଚୟ ପତ୍ର ରହିଛି । ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀର । ଯେଉଁଥରେ ବୟସ ଅଲଗା ଅଲଗା ରହିଛି । ଗୋଟିଏରେ ୫୭ ଅନ୍ୟଟିରେ ୬୦ । ଏହା ଅନଲାଇନରେ ନିର୍ବାଚନ କମିଶନଙ୍କ ଆପ୍ଲିକେସନ୍‌ରେ ମଧ୍ୟ ରହିଛି । ନୂଆ ଭୋଟର ଲିଷ୍ଟ ଯାହା ସମସ୍ତ ରାଜନୈତିକ ଦଳର ସଭାପତିଙ୍କୁ ଦିଆଯାଇଛି । ନୂଆ ତାଲିକାରେ ମଧ୍ୟ ରହିଛି । ତେବେ ଏଥିରେ କିଏ ଜାଲିଆତି କରୁଛି ? ଲୋକମାନେ ଏହା ଜାଣିବା ଉଚିତ୍‌ । କେବେଳ ଦୁଇଟି କଥା ହୋଇପାରେ ଏସ୍‌ଆଇଆର ସମ୍ପୂର୍ଣ୍ଣ ପ୍ରକ୍ରିୟା ନିର୍ବାଚନ କମିଶନ ଜାଲିଆତି ହୋଇଥାଇପାରେ କିମ୍ବା ବିହାର ଉପମୁଖ୍ୟମନ୍ତ୍ରୀ ଦୁର୍ନୀତି କରିଥାଇପାରନ୍ତି ।''

ତେଜସ୍ୱୀଙ୍କ ଅଭିଯୋଗକୁ ନେଇ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି,"ପୂର୍ବରୁ, ମୋ ପରିବାରର ସମ୍ପୂର୍ଣ୍ଣ ନାମ ପାଟନାରେ ତାଲିକାଭୁକ୍ତ ହୋଇଥିଲା । ଏପ୍ରିଲ ୨୦୨୪ରେ, ମୁଁ ଲଖିସରାଇ ବିଧାନସଭାରେ ମୋ ନାମ ଯୋଡିବା ପାଇଁ ଆବେଦନ କରିଥିଲି । ମୁଁ ସେଠାରୁ ମୋର ନାମ ହଟାଇବା ପାଇଁ ଏକ ଫର୍ମ ମଧ୍ୟ ପୂରଣ କରିଥିଲି । ମୋ ପାଖରେ ପ୍ରମାଣ ଅଛି। କୌଣସି କାରଣରୁ, ମୋ ନାମ ହଟାଯାଇ ନଥିଲା, ତେଣୁ ମୁଁ ବିଏଲଓକୁ ଫୋନ୍ କରି ଏକ ଲିଖିତ ଆବେଦନ କରି ରସିଦ ନେଇଥିଲି । ମୋ ପାଖରେ ଉଭୟ ଡକ୍ୟୁମେଣ୍ଟ ଅଛି । ମୋର ଡିଲିଟ ଫର୍ମ ଖାରଜ କରାଯାଇଥିଲା । ମୁଁ କେବଳ ଗୋଟିଏ ସ୍ଥାନରୁ ଭୋଟ ଦିଏ । ଗତଥର ମଧ୍ୟ, ମୁଁ କେବଳ ଲଖିସରାଇରୁ ଭୋଟ ଦେଇଥିଲି ।  ଏହା ଦୁଃଖଦ ଯେ, ସାମ୍ବିଧାନିକ ପଦବିରେ ବସିଥିବା ଜଣେ ବ୍ୟକ୍ତି ନିଜ ଭାଷାରେ ରାଜନୀତିକୁ କଳୁଷିତ କରୁଛନ୍ତି । ଏହା ତାଙ୍କୁ ଶୋଭା ଦିଏ ନାହିଁ । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଉଚିତ୍‌ । ସମଗ୍ର ବିହାର ଏବଂ ଦେଶ ଜାଣେ ଯେ ଜଙ୍ଗଲରାଜର ରାଜକୁମାର ଅନ୍ୟମାନଙ୍କୁ କଳୁଷିତ କରିବାର ଖେଳ ଖେଳନ୍ତି ।  ତାଙ୍କୁ କ୍ଷମା ମାଗିବା ଉଚିତ୍‌ ଏବଂ ଏପରି ମିଥ୍ୟା ଅଭିଯୋଗ ଆଦୌ କରାଯିବା ଉଚିତ୍ ନୁହେଁ। "