ନୂଆଦିଲ୍ଲୀ: ସରକାରୀ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ବିହାର ସରକାରଙ୍କ ଶିକ୍ଷା ବିଭାଗ ଏକ ନୋଟିସ ଜାରି କରିଛି । ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାରୀ ବିଦ୍ୟାଳୟର ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ କେବଳ ଫର୍ମାଲ ପୋଷାକରେ ସ୍କୁଲକୁ ଆସିବେ । ଯେଉଁ ମାନେ ଟି-ସାର୍ଟ, ଜିନ୍ସ ପରି ପୋଷାକ ପିନ୍ଧି ସ୍କୁଲକୁ ଆସବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକ୍ଷା ବିଭାଗ ପୂର୍ବରୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଥିଲା । ଆଉ ଏବେ ଏହାକୁ ଅଧିକ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି ।

ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର କାର୍ଯ୍ୟକଳାପରେ ଶୋଭନୀୟତା ପ୍ରଦର୍ଶନ କରିବା ଏବଂ ଆଚରଣ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହା ପ୍ରାୟତ ଦେଖିବାକୁ ମିଳେ ଯେ, ଶିକ୍ଷକମାନେ ବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ଜିନ୍ସ ଏବଂ ଟି ସାର୍ଟ ପିନ୍ଧି ଆସୁଛନ୍ତି । 

ଶିକ୍ଷା ବିଭାଗ ନୋଟିସରେ କହିଛି ଯେ ସୋସିଆଲ ମିଡିଆ (ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଇତ୍ୟାଦି) ଏବଂ ଅନ୍ୟାନ୍ୟ ମାଧ୍ୟମ ମାଧ୍ୟମରେ ବିଦ୍ୟାଳୟ ପରିସରରେ ନୃତ୍ୟ, ଡିଜେ, ଡିସ୍କୋ ଏବଂ ଅନ୍ୟାନ୍ୟ ନିମ୍ନ ସ୍ତରର କାର୍ଯ୍ୟକଳାପ ଚାଲିଥିବାର ଦେଖିବାକୁ ମିଳିଛି । ବିଭାଗ କହିଛି ଯେ ବିଦ୍ୟାଳୟ ପରିସରରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଏପରି ଆଚରଣ ଶିକ୍ଷାଗତ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଏହା ଗ୍ରହଣୀୟ ନୁହେଁ । ଆହୁରି ମଧ୍ୟ ବିଭାଗ ଏହାର ବିଜ୍ଞପ୍ତିରେ କହିଛି ଯେ, ବିଶେଷ ଦିନରେ କେବଳ ନୃତ୍ୟ, ସଙ୍ଗୀତ ଇତ୍ୟାଦିର ଶୃଙ୍ଖଳିତ ତଥା ଉପଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣୀୟ ।