ପାଟନା, ୩।୬: ବିଳମ୍ବିତ ନ୍ୟାୟ, ଶେଷରେ ବିଜୟ । କିନ୍ତୁ ଯେତେବେଳେ ଏହି ନ୍ୟାୟ ମିଳିବା ପାଇଁ ଦୀର୍ଘ ୩୪ ବର୍ଷର ସମୟ ଲାଗିଯାଏ, ସେତେବେଳେ ଆଇନର ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ତଥା ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି ବିହାରର ବୈଶାଳୀ ଜିଲ୍ଲାରୁ । ୧୯୯୨ ମସିହାର ଏକ ରକ୍ତାକ୍ତ ସଂଘର୍ଷ ମାମଲାରେ ଶେଷରେ କୋର୍ଟ ଶୁଣାଇଛନ୍ତି ଶେଷ ନିଷ୍ପତ୍ତି । ଘଟଣା ସମୟରେ ଯିଏ ଜଣେ ଚଳଚଞ୍ଚଳ ଯୁବକ ଥିଲେ, ଆଜି ସେ ଜଣେ ଜରାଜୀର୍ଣ୍ଣ ବୃଦ୍ଧ । ୮୪ ବର୍ଷ ବୟସରେ ସେ ସାବ୍ୟସ୍ତ ହୋଇଛନ୍ତି ଦୋଷୀ । ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ କ’ଣ ? ୩୪ ବର୍ଷ ତଳର ସେଇ ଅଭିଶପ୍ତ ଦିନ । ଘଟଣାଟି ଥିଲା ୧୯୯୨ ମସିହା ମେ ୧୦ ତାରିଖର । ବୈଶାଳୀ ଜିଲ୍ଲାର ଜୁଧାବନପୁର ଗାଁରେ ଜମିବାଡ଼ି ଓ ପାରିବାରିକ ବିବାଦକୁ କେନ୍ଦ୍ର କରି ସୃଷ୍ଟି ହୋଇଥିଲା ଉତ୍ତେଜନା । ଅଦାଲତ ରାୟ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଗୋଟିଏ ପରିବାରର ୫ ଜଣ ସଦସ୍ୟ ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଧରି ତାଙ୍କ ଘରେ ପଶି ଆତଙ୍କ ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ, ଅଦାଲତ ରାୟ ଏବଂ ତାଙ୍କ ପତ୍ନୀଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆଖିବୁଜା ଗୁଳିଚାଳନା ଓ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।

ପୁଲିସ ଏହି ମାମଲାର ତଦନ୍ତ କରି ୧୯୯୩ ମସିହାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । କିନ୍ତୁ କିଏ ଜାଣିଥିଲା, ଏହି ମାମଲାର ବିଚାର ପ୍ରକ୍ରିୟା ଆଗକୁ ବଢ଼ିବା ପାଇଁ ତିନି ଦଶନ୍ଧିରୁ ଅଧିକ ସମୟ ଲାଗିଯିବ ! ନ୍ୟାୟାଳୟର ଏହି ଦୀର୍ଘ ଲଢ଼େଇ ମଧ୍ୟରେ ସମୟ ବଦଳିଗଲା, ଦୁନିଆ ବଦଳିଗଲା ଏବଂ ମାମଲାର ଚେହେରା ବି ବଦଳିଗଲା । ନ୍ୟାୟ ପାଇଁ ଅପେକ୍ଷା କରୁ କରୁ ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟି ସାରିଛି । ଶେଷ ଅଭିଯୁକ୍ତ ଭାବେ ବଞ୍ଚି ରହିଥିଲେ କେବଳ ଦୀପ ରାୟ । ୩୪ ବର୍ଷ ଧରି କୋର୍ଟ କଚେରୀ ଦଉଡ଼ି ଦଉଡ଼ି ଆଜି ସେ ସମ୍ପୂର୍ଣ୍ଣ ଭାବେ ଶାରୀରିକ ରୂପେ ଅସୁସ୍ଥ ହୋଇପଡ଼ିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ୮୪ ବର୍ଷର ବୃଦ୍ଧ ଦୀପ ରାୟ ନିଜ ଗୋଡ଼ରେ ଠିକ୍ ସେ ଚାଲି ବି ପାରୁନାହାନ୍ତି । ଦୁଇ ଜଣ ବ୍ୟକ୍ତି ତାଙ୍କୁ କାନ୍ଧରେ ଆଶ୍ରା ଦେଇ, ଧରାଧରି କରି କୋର୍ଟ ପରିସରରୁ ବାହାରକୁ ଆଣୁଛନ୍ତି । ଏହି ଦୃଶ୍ୟ ହିଁ ବୟାନ କରୁଛି ଯେ, ଆମର ଆଇନ ବ୍ୟବସ୍ଥାରେ ନ୍ୟାୟ ମିଳିବା ପାଇଁ କେତେ ସମୟ ଅତିବାହିତ ହୋଇଯାଉଛି । ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ମନୋଜ କୁମାର ତିୱାରୀ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କ ବିରୋଧରେ ଥିବା ସମସ୍ତ ପ୍ରମୁଖ ଧାରା ପ୍ରମାଣିତ ହୋଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରମୁଖ ଆଇନଗତ ଧାରା ହେଉଛି, ଆଇପିସି ଧାରା ୧୪୭ ଓ ୧୪୮: ଦଙ୍ଗା ହଙ୍ଗାମା ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ରଖିବା, ଆଇପିସି ଧାରା ୩୦୭: ଆଟେମ୍ପ୍ଟ ଟୁ ମର୍ଡର ଅର୍ଥାତ୍ ହତ୍ୟା ଉଦ୍ୟମ, ଆର୍ମସ ଆକ୍ଟର ଧାରା ୧୩୪: ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ।

ଏବେ ପ୍ରଶ୍ନ ଉଠୁଛି ଏହି ବୃଦ୍ଧ ଜଣଙ୍କୁ କେବେ ଶୁଣାଯିବ ଦଣ୍ଡାଦେଶ ?ନ୍ୟାୟାଳୟ ବର୍ତ୍ତମାନ କେବଳ ଦୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କିନ୍ତୁ ଏହି ୮୪ ବର୍ଷର ବୃଦ୍ଧଙ୍କୁ କେତେ ବର୍ଷର ଜେଲ୍ ଦଣ୍ଡ ମିଳିବ, ତାହାର କ୍ୱାଣ୍ଟମ ଅଫ୍ ପନିସମେଣ୍ଟ ବା ଦଣ୍ଡର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆସନ୍ତା ବୁଧବାର ଦିନ କୋର୍ଟ ଏହି ମାମଲାରେ ଶେଷ ଶୁଣାଣି କରି ସଜା ଘୋଷଣା କରିବେ । ଏହି ଘଟଣା ଆଜି ଦେଶର ନ୍ୟାୟିକ ପ୍ରକ୍ରିୟା ଉପରେ ପୁଣିଥରେ ଚର୍ଚ୍ଚା ଆରମ୍ଭ କରିଦେଇଛି । ନ୍ୟାୟ ତ ମିଳିଲା, ହେଲେ ଯେଉଁ ବୟସରେ ମଣିଷ ମୃତ୍ୟୁ ସହ ଲଢ଼େଇ କରୁଥାଏ, ସେହି ବୟସରେ ଜେଲ୍ ଦଣ୍ଡ ଭୋଗିବା କେତେଦୂର ପ୍ରାସଙ୍ଗିକ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ଆହୁରି ପଢ଼ନ୍ତୁ... Wipro-CEO: ୱିପ୍ରୋ ସିଇଓଙ୍କୁ ମିଳିଲା ୪୯ କୋଟିର ଦରମା ! ଅନ୍ୟ ଅଧିକାରୀଙ୍କ ଉପରେ ବି ଟଙ୍କା ବର୍ଷା