ନୂଆଦିଲ୍ଲୀ, ୨୦/୧୧ : ଆଜିଠୁ ବିହାରରେ ନୀତୀଶ ରାଜ୍। ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ଗାନ୍ଧୀ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି।
ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିହାର ଶପଥ ଗ୍ରହଣ ଉତ୍ସବରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଏକା ସାଙ୍ଗରେ ୫ ଜଣ ଲେଖାଏଁ ମନ୍ତ୍ରୀ ଶପଥ ନେଇଛନ୍ତି। ଶେଷରେ ଶ୍ରେୟସୀ ସିଂଙ୍କ ସମେତ ୬ ଜଣ ନେତା ଏକା ସାଙ୍ଗରେ ଶପଥ ନେଇଛନ୍ତି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଶ୍ରବଣ କୁମାର, ମଙ୍ଗଳ ପାଣ୍ଡେ ଏବଂ ଦିଲ୍ଲୀପ ଜୟସୱାଲଙ୍କୁ ଏକା ସାଙ୍ଗରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ସୂଚନାନୁଯାୟୀ, ପାଟନା ସ୍ଥିତ ଗାନ୍ଧୀ ମୈଦାନରେ ଏନଡିଏ ସରକାରରେ ନୀତୀଶ କୁମାରଙ୍କ ସହ ୨୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ବିଜେପି କୋଟାରେ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ସେହିପରି ନୂଆ ସରକାରରେ ବିଜେପି କୋଟାରୁ ୧୪ ଜଣ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଜେଡିୟୁରୁ ୮, LJPRରୁ ୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଜିତନରାମ ମାଁଝୀଙ୍କ ପାର୍ଟ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପକ୍ଷରୁ ଜଣେ ଓ ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା କୋଟାରୁ ଜଣେ ମନ୍ତ୍ରୀ ଶପଥ ନେଇଛନ୍ତି।