ନୂଆଦିଲ୍ଲୀ : ଗୁରୁବାର ବିହାରର ଗୟାଜୀରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଖିଜରାସରାୟ ଥାନା ଅଞ୍ଚଳର କେନି ବ୍ରିଜ୍ ନିକଟରେ ରିଲ୍ସ ତିଆରି କରୁଥିବା ବେଳେ ନଅ ଜଣ ନାବାଳକ ନଦୀରେ ବୁଡ଼ି ଯାଇଛନ୍ତି। ସେମାନେ ନଦୀ କୂଳରେ ରିଲ୍ ତିଆରି କରୁଥିବା ସମୟରେ ଗଭୀର ପାଣି ଭିତରକୁ ଖସି ପଡିଥିଲେ । ତେବେ ନିଜକୁ ପାଣିରେ ବୁଡ଼ି ଯାଉଥିବା ଦେଖି ଚିତ୍କାର କରିବାକୁ ଲାଗିଥିଲେ, ଏବଂ ପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ।
ବହୁତ ଚେଷ୍ଟା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ତୁରନ୍ତ ବେଲାଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ, ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା। ଏବଂ ସାତ ଜଣଙ୍କୁ ବେଲାଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଦୁଇଜଣ ଚିକିତ୍ସାଧୀନ ଅଛନ୍ତି।
ପରିବାର ଏହି ଘଟଣା ଜାଣିବା ପରେ, ସମଗ୍ର ଗାଁରେ ଶୋକ ଖେଳିଯାଇଛି । ସୂଚନା ଅନୁଯାୟୀ, ସମସ୍ତ ନାବାଳକ ମାନେ ସ୍କୁଲରୁ ଫେରୁଥିଲେ। ଏହି ସମୟରେ, ସେମାନେ ଭିଡିଓ ଉଠାଇବା ପାଇଁ ନଦୀ କୂଳକୁ ଯାଇଥିଲେ ଏବଂ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଲୋକମାନେ କହିଥିଲେ ଯେ ଏହି ନାବାଳକ ମାନଙ୍କ ମଧ୍ୟରୁ କିଛି ଏକାଦଶ ଶ୍ରେଣୀରେ ପଢ଼ନ୍ତି ଏବଂ କିଛି ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି।