ପାଟନା,୦୭/୦୩: କଥାରେ ଅଛି,''ଏମିତି କାମ କର ଯେ ପରିଚୟ ତିଆରି ହୋଇଯାଉ । ଜୀବନକୁ ତ ସମସ୍ତେ ବଞ୍ଚନ୍ତି ମାତ୍ର ଏମିତି ବଞ୍ଚ ତାହା ମିଶାଲ ହୋଇଯାଉ ।'' କିଛି ଏମିତି ବ୍ୟକ୍ତି ବିଶେଷ ଥାନ୍ତି ତାଙ୍କ କାମକୁ ସାଲ୍ୟୁଟ ମାରିବାକୁ ଇଚ୍ଛା ହୁଏ । ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ କାହାଣୀ କହିବୁ ଯିଏ ଉଦାହରଣ ପାଲଟିଛନ୍ତି । ସେ ହେଉଛନ୍ତି ବିହାରର ଭୁଲ୍ଲୁ ସାହନି । ସେ ଅଦ୍ଭୁତ ଶକ୍ତିର ଅଧିକାରୀ ହେଲେ ଦୁନିଆଟା ତାଙ୍କ ପାଇଁ ଅନ୍ଧାର । ଦଇବ ତାଙ୍କୁ ଦୃଷ୍ଟିଶକ୍ତି ଦେଇନାହିଁ ହେଲେ ସେ ୧୩ ଜୀବନ ବଞ୍ଚାଇ ଅନେକଙ୍କ ଘରକୁ ଆଲୋକିତ କରିଛନ୍ତି । ଦୃଷ୍ଟିହୀନ ହୋଇ ବି ୧୩ ଜଣଙ୍କର ଜୀବନ ବଞ୍ଚାଇଛନ୍ତି ବିହାର ପଟେରୀ ବ୍ଲକ ଡୁମଡୁମା ଗାଁର ଭୁଲ୍ଲୁ ସାହନି । ଜଣେ ଜଳ ଯୋଦ୍ଧା ଭାବେ ପରିଚୟ ହାସଲ କରିଛନ୍ତି ।
ଭୁଲ୍ଲୁ ସାହନିଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଜନ୍ମରୁ ଦୃଷ୍ଟିହୀନ ହୋଇଥିଲେ ହେଁ ପାଣି ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେ ସବୁକିଛି ଦେଖିପାରନ୍ତି । ନିଜର ଏହି ଅଦ୍ଭୁତ ଶକ୍ତି ଯୋଗୁଁ ସାହନି ଅଦ୍ୟାବଧି ୧୩ ଜଣ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ନଦୀ ଓ ପୋଖରୀରୁ୧୪ଟି ଶବକୁ ବାହାର କରିଛନ୍ତି । ତାଙ୍କର ଏହି ଅସାଧାରଣ ସେବା କାର୍ଯ୍ୟକୁ ଦେଖି ବିହାର ପୋଲିସ ସପ୍ତାହ କାର୍ଯ୍ୟକ୍ରମ ସମୟରେ ନିକଟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସମ୍ମାନିତ କରିଛନ୍ତି । ତାଙ୍କୁ ପ୍ରଶଂସାପତ୍ର ସହିତ ନଗଦ ୧୦ ହଜାର ଟଙ୍କା ମିଳିଛି ।

ଭୁଲ୍ଲୁଙ୍କ ପରିବାର ବଂଶାନୁକ୍ରମିକ ଭାବେ ବାୟା ନଦୀ କୂଳରେ ରହି ଆସୁଛନ୍ତି । ସେଥିଯୋଗୁ ନଦୀ ଓ ପୋଖରୀରେ ପହଁରିବା ତାଙ୍କ ଲାଗି ରାସ୍ତାରେ ଚାଲିବା ଭଳି ସହଜ କାମ ହୋଇଥାଏ । ଏଭଳି ବିରଳ ପ୍ରତିଭା ଓ ସମାଜ ସେବା ସତ୍ତ୍ୱେ ଭୁଲ୍ଲୁଙ୍କର ଜୀବନ ସଂଘର୍ଷପୂର୍ଣ୍ଣ । ସେ ଝାଲମୁଢ଼ି ବିକ୍ରି ପରିବାର ପୋଷଣ କରିଥାନ୍ତି । ସ୍ଥାନୀୟ ଅଞ୍ଚଳରେ ‘ସୁରଦାସ ଝାଲମୁଢ଼ି ବାଲା’ ନାମରେ ସେ ପ୍ରସିଦ୍ଧ । ତାଙ୍କ ପରିବାରରେ ବାପା-ମା’, ଭାଇ ଓ ଭାଉଜ ଅଛନ୍ତି । ତାଙ୍କର ବିବାହ ହୋଇଥିଲେ ମଧ୍ୟ କିଛି ଦିନ ପରେ ପତ୍ନୀ ତାଙ୍କୁ ଛାଡି ପଳାଇଥିଲେ । ଏଭଳି କ୍ଷେତ୍ରରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢନ୍ତୁ...ସଫଳତାକୁ ସଲାମ୍ ; ବାପାଙ୍କର ଚାଟ୍ -ପକୁଡି ଠେଲା, ଝିଅ ଦୀପେଶ କୁମାରୀ IAS

ଭୁଲ୍ଲୁ ସାହନି କୁହନ୍ତି, ମାଟି ଉପରେ ଥିବାବେଳେ ସାମ୍ନାରେ ଛିଡ଼ା ହୋଇଥିବା ଲୋକଙ୍କୁ ବି ସେ ଦେଖିପାରନ୍ତି ନାହିଁ । ତାଙ୍କ ଲାଗି ସବୁକିଛି ଏକ ଛାଇ ଭଳି ହୋଇଥାଏ । କିନ୍ତୁ ପାଣି ମଧ୍ୟରେ ପ୍ରବେଶ କରିବା ପରେ ଚଷମା ପିନ୍ଧିବା ଭଳି ସବୁକିଛି ସ୍ପଷ୍ଟ ହୋଇଯାଏ । ଏହି ଅଦ୍ଭୁତ ଶକ୍ତି ଯୋଗୁ ନଦୀ-ପୋଖରୀରେ ବୁଡ଼ି ଯାଉଥିବା ଲୋକଙ୍କୁ ସେ ଉଦ୍ଧାର କରିଥାନ୍ତି । ନଦୀ ବା ପୋଖରୀରେ ବୁଡି଼ କାହାର ମୃତ୍ୟୁ ହୋଇଯାଇଥିଲେ ତାଙ୍କ ଶବକୁ ବାହାର କରିଆଣନ୍ତି ।