ନୂଆଦିଲ୍ଲୀ: ଛତିଶଗଡର ବିଜାପୁର ଏବଂ କାଙ୍କେରରେ ସୁରକ୍ଷାବାହିନୀ ଏକ ବଡଧରଣର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି । ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର ଏନକାଉଣ୍ଟରରେ ମୋଟ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି । ଏନେଇ ବିଜାପୁର ପୋଲିସ କହିଛି ଯେ, ବିଜାପୁର-ଦାନ୍ତେୱାଡା ସୀମାନ୍ତରେ ଗଙ୍ଗାଲୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଏକ ଏନକାଉଣ୍ଟର ସମୟରେ ୨୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଏହି ସମୟରେ କାଙ୍କେରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ଜଣେ ସୈନିକ ମଧ୍ୟ ସହିଦ ହୋଇଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି ଏହାକୁ ନିଶ୍ଚିତ କରିଛନ୍ତି।

ଅଧିକାରୀ ମାନେ କହିଛନ୍ତି ଯେ, ଅଭିଯାନ ସମୟରେ, ଆଜି (ଗୁରୁବାର) ସକାଳ ୭ଟାରୁ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ନିରନ୍ତର ଗୁଳିଚାଳନା ଜାରି ରହିଛି। ଏହି ଏନକାଉଣ୍ଟର ବିଜାପୁରର ଗଙ୍ଗାଲୁର ଅଞ୍ଚଳର ଆଣ୍ଡ୍ରି ଜଙ୍ଗଲରେ ଘଟିଛି। ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଏନକାଉଣ୍ଟର ଏବେ ବି ଜାରି ରହିଛି ।  ସୁରକ୍ଷା ବାହିନୀର ଏକ ମିଳିତ ଦଳ ଗଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ଥିବା ବେଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଅଞ୍ଚଳରେ ଏବେ ବି ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି। ଏ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି।

ସୂଚନା ମୁତାବକ ବିଜାପୁର ଏବଂ ଦାନ୍ତେୱାଡା ସୀମାନ୍ତ ଅଞ୍ଚଳର ଗଙ୍ଗାଲୋର ପୋଲିସ ଷ୍ଟେସନ ଅଧୀନରେ ଡିଆରଜି, ଏସଟିଏଫ ଏବଂ ସିଆରପିଏଫର ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲେ। ଏହି ଅଭିଯାନ ସମୟରେ ଗୁରୁବାର ସକାଳେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ନିରନ୍ତର ଗୁଳିଚାଳନା ହୋଇଥିଲା ।