ମୁନିଗୁଡ଼ା, ୦୪/୧୧: ଦୀର୍ଘ ୨୦ ଦିନର ପରିଶ୍ରମ ପରେ ମୁନିଗୁଡା ପୋଲିସକୁ ମିଳିଲା ସଫଳତା । ଚୋରି ହୋଇଥିବା ରୁପା ଅଳଙ୍କାର ଉଦ୍ଧାର ସହ ଗୋଟିଏ ଆପାଚି ବାଇକ ଜବତ କରିଛି ପୋଲିସ । ଚୋରି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହେଇଥିବା ଯୁବକ ଦ୍ୱୟ ଆଡୁ କାନ୍ଦୁଲୁ ଓ ଆର୍ ସୁରେନ୍ଦ୍ର ରେଡି ବୋଲି ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମୁନିଗୁଡା ଖମଣସାହି ବାସିନ୍ଧା ଗୌରୀ ସାହୁ ଗାଁ ଗାଁ ବୁଲି ରୂପା ବ୍ୟବସାୟ କରନ୍ତି । ସବୁଦିନ ଭଳି ସେ ଅକ୍ଟୋବର ମାସ ୭ ତାରିଖରେ ରୂପା ବିକ୍ରି କରିବା ପାଇଁ ଭୁରୁଷିଖମାର ଗାଁରେ ଏକ ଘରକୁ ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବା ସମୟରେ ୨ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ରୁପା ବାକ୍ସଟିକୁ ନେଇ ମୁନିଗୁଡା ଆଡକୁ ଦୃତ ଗତିରେ ଚାଲି ଯାଇଥିଲେ । ଘଟଣା ପରେ ରୂପା ବ୍ୟବସାୟୀ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ମୁନିଗୁଡା ଥାନାର ଏକ ଟିମ୍ ସିସିଟିଭି ଫୁଟେଜ୍କୁ ଆଧାର କରି ଆସିକା ପୋଲିସର ସହାୟତାରେ ତଦନ୍ତ କରିଥିଲା । ତଦନ୍ତ ପରେ ଆସିକା ଥାନା ଅଞ୍ଚଳର ଆଡୁ କାନ୍ଦୁଲୁ ଓ ଆର୍ ସୁରେନ୍ଦ୍ର ରେଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଗୋଟିଏ ଆପାଚି ବାଇକ୍, ୪କେଜି ୨୧୦ଗ୍ରାମ ରୁପା ଅଳଙ୍କାର ସହ ୧୫୦୦୦ ଟଙ୍କା ଜବତ କରିଛି । ଗିରଫ ୨ଜଣଙ୍କ ମଧ୍ୟରେ ଜଣେ ଚୋର ଓ ଅନ୍ୟ ଜଣେ ଚୋରି ଜିନିଷ କିଣାଳି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁନିଗୁଡା ଏସଡିପିଓ।