କର୍ଲାମୁଣ୍ଡା,୧୯/୧୧ : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳରେ ଗତ କିଛି ମାସ ହେବ ବାଇକ ଚୋରି ବୃଦ୍ଧି ପାଉଥିଲା । ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ଯ ସହଯୋଗୀ ୫ଜଣଙ୍କୁ ଧରିବାରେ ପୁଲିସ ବେଶ ସଫଳତା ପାଇଛି । ଏଥିସହ ୯ ଟି ବାଇକ୍ ସେମାନଙ୍କ ସୂଚନାକ୍ରମେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏ ନେଇ ରିଷିଡ଼ା ଫାଣ୍ଡିରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଝାରମୁଣ୍ତା ଗ୍ରାମର ପଦ୍ମମୁଖ ସାହୁଙ୍କର ଗତ ୧୭ତାରିଖରେ ବାଇକ ଚୋରି ହୋଇଥିଲା l ଏ ନେଇ ସେ ରିଷିଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା ବାଇକ ଚୋର ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ରୋହିତ ମହାନନ୍ଦ ଓରଫ ମୁକେଶ ଓରଫ ଲାଲୁଙ୍କୁ ଗିରଫ କରି ବାଇକ ଉଦ୍ଧାର କରିଥିଲେ ।

ବାଇକ ଚୋରି ରାକେଟକୁ ଧରିବା ପାଇଁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏନ୍. ଦେବରକୋଣ୍ଡାଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ଵାବଧାନରେ ମ.ରାମପୁର ଥାନା ଅଧିକାରୀ ବୀରବର ଭଗତ ଓ ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତ ରୋହିତକୁ ଧରି ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବାଗବାହାଲି ଗ୍ରାମର ଗୋକୁଳ ସାହୁ, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଦେଉଲି ଗ୍ରାମର ବାବୁଲା ରଣା, ବାଳଗୋପାଲ ରଣା, ଟିକେଚନ୍ଦ ରଣା ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧୀନ ଜାମୁଟ ଗ୍ରାମ (ଜଗନ୍ନାଥ ବସ୍ତି ପଡ଼ା)ର ଦୟାସାଗର ବିଶିକୁ ଉଠାଇ ଆଣିଥିଲେ । ସେମାନଙ୍କ ସୂଚନା ଆଧାରରେ ୯ଟି ବାଇକ ଉଦ୍ଧାର କରାଯାଇଥିବାବେଳେ ତଦନ୍ତ ଜାରି ରହିଥିବା ଏସଡିପିଓ ଶ୍ରୀ ମାଝୀ ସୂଚନା ଦେଇଥିଲେ ।

ଏହି ସାମ୍ବାଦିକ ସମ୍ମିଳିନୀରେ ମ.ରାମପୁର ଥାନା ଅଧିକାରୀ ବିରବର ଭଗତ, ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଉପସ୍ଥିତ ଥିଲେ । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି l ଏ ନେଇ ମ.ରାମପୁର ଥାନାରେ କେଶ ନଂ ୨୯୫ରେ ଏକ ମାମଲା ରୁଜୁ ହୋଇଛି l