କାମାକ୍ଷାନଗର,୧୭/୧୦: କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବାଇକ୍କୁ ପଛରୁ ପିଟିଲା ଟ୍ରକ୍ l ଘଟଣା ସ୍ଥଳରେ ଦୁଇ ଶିଶୁଙ୍କ ସମେତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି l
ସୂଚନା ମୁତାବକ, ଏକ ବାଇକ୍ରେ ଭୁବନ ପାର୍ଶ୍ୱରୁ ୪ଜଣ କାମାକ୍ଷାନଗର ଅଭିମୁଖେ ଆସୁଥିଲେ। ମାଳପୁରା ଓଭରବ୍ରିଜ୍ ନିକଟରେ ସେମାନଙ୍କୁ ଏକ ଟ୍ରକ୍ ପଛରୁ ଧକ୍କା ଦେଇଥିଲା l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍କୁ ଟ୍ରକ୍ଟି ପ୍ରାୟ ୧୫୦ ମିଟର ରାସ୍ତାରେ ଘୋଷାଡ଼ି ନେଇଥିଲା l ଫଳରେ ଘଟଣା ସ୍ଥଳରେ ବାଇକ୍ରେ ଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି l ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବାବେଳେ ଜଣେ ପୁରୁଷ ଅଛନ୍ତି l ତେବେ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଦୁର୍ଘଟଣା ଘଟାଇ ଟ୍ରକ୍ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି l ମୃତକମାନଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେମାନେ ଗୋଟିଏ ପରିବାରର ହୋଇଥିବା ନେଇ ଅନୁମାନ କରାଯାଉଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି।