ନୂଆଦିଲ୍ଲୀ,୦୯/୦୫: ଗେଟ୍‌ସ ଫାଉଣ୍ଡେସନ ଜରିଆରେ  ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା  ବିଲ୍‌ ଗେଟ୍‌ସ ତାଙ୍କର ସମସ୍ତ  ସମ୍ପତ୍ତିକୁ ଦାନ କରିବେ ବୋଲି  ପ୍ରକାଶ କରିଛନ୍ତି । ଆସନ୍ତା ୨୦  ବର୍ଷ ମଧ୍ୟରେ ସେ ନିଜର ପ୍ରାୟ  ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ଦାନ  କରିବାକୁ ଶପଥ ନେଇଛନ୍ତି ।  

ସେ କହିଛନ୍ତି ଯେ, ଏହା ମାଧ୍ୟମରେ ବିଶ୍ୱର ଗରିବମାନେ  ଗେଟ୍‌ସ ଫାଉଣ୍ଡେସନ ଜରିଆରେ ୨୦୦୦୦ କୋଟି ଡଲାର  ପାଇପାରିବେ । ବିଶ୍ୱର ଅନେକ ସମସ୍ୟାର ସମାଧାନ ହୋଇଯିବ ।   ୨୦୦୦ ମସିହାରେ ବିଲ୍‌ ଗେଟ୍‌ସ ଏବଂ ତାଙ୍କ ପୂର୍ବତନ ପତ୍ନୀ  ମିଲିଣ୍ଡା ଫ୍ରେଞ୍ଚ ଗେଟ୍‌ସ ଏହି ଫାଉଣ୍ଡେସନ୍‌ର ପ୍ରତିଷ୍ଠା କରିଥିଲେ ।  

୨୦୪୫ ଡିସେମ୍ବର ୩୧ରେ ଗେଟ୍‌ସ ଫାଉଣ୍ଡେସନକୁ ବନ୍ଦ କରିବା  ପୂର୍ବରୁ ସେ ସବୁ ସମ୍ପତ୍ତିକୁ ଦାନ କରିବାକୁ ଚାହୁଁଥିବା ବିଲ୍‌ ଗେଟ୍‌ସ ପ୍ରକାଶ କରିଛନ୍ତି । ଏହି ଧନରାଶିରେ ଅନେକ ସମସ୍ୟାର ସମାଧାନ  ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦୮୦୦ କୋଟି ଡଲାର ରହିଛି । ଏହା ଆସନ୍ତା ଦୁଇ  ଦଶନ୍ଧି ମଧ୍ୟରେ ୯୯% ଖସିଯିବ ବୋଲି ଗେଟ୍‌ସ କହିଛନ୍ତି ।