କଟକସଦର,୦୩/୦୬: ଦିନ ବେଳା ରାସ୍ତାକଡ଼ରେ  ଏକ ଛୋଟିଆ ଦୋକାନରେ ବସି ଫୁଲ ବିକୁଥିଲେ । ସନ୍ଧ୍ୟାରେ ଯାଇ ଆଇପିଏଲ୍‌ ମ୍ୟାଚ୍‌ ପୂର୍ବରୁ  ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ରେ  କ୍ରିକେଟ୍‌ ଟିମ୍‌ ତିଆରି କଲେ । ରାତି ପାହିବା ବେଳକୁ କୋଟିପତି । ପୁଣି ମହିନ୍ଦ୍ରା ଥର୍‌ ଭଳି ଦାମୀ କାର୍‌ର  ମାଲିକ । ମଧୁପାଟଣା ଥାନା ଅଧୀନ ନୂଆପଡ଼ା  ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କ ଭାଗ୍ୟ କିଛି  ଏଭଳି ଢଙ୍ଗରେ ରାତାରାତି ବଦଳିଛି । ଏକ ଅନ୍‌ଲାଇନ୍‌  ଗେମିଂ ଆପ୍‌ରେ ସ୍ୱଳ୍ପ କିଛି ଟଙ୍କା ବିନିଯୋଗରେ ନିଜ  ପସନ୍ଦର ଟିମ୍‌ ତିଆରି କଲା ପରେ ଯୁବ ବ୍ୟବସାୟୀ  ତଥା କ୍ରିକେଟ ପ୍ରେମୀ ବିନୋଦ କୋଟିପତି  ହୋଇଛନ୍ତି । ଘଟଣାଟି ଆଜି କଟକ  ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।  

ନୂଆପଡ଼ା ମଝିସାହିର ଜାଗୁଳାଇ  ମନ୍ଦିର ନିକଟରେ ରହୁଥିବା ଶ୍ୟାମସୁନ୍ଦର  ଦାସ ଓ ମାମି ଦାସଙ୍କ ପୁଅ ବିନୋଦ  କୁମାର ଦାସ (ଗୁଗୁଲା) ଜଣେ କ୍ରିକେଟ  ପ୍ରେମୀ । ପେସାରେ ସେ ଫୁଲ ଦୋକାନୀ । ନୂଆପଡ଼ା  ଛକରେ ତାଙ୍କର ଏକ ଛୋଟ ଫୁଲ ଦୋକାନ ଅଛି ।  କ୍ରିକେଟ୍‌ ପ୍ରତି ଦୁର୍ବଳତା ରହିଥିବାରୁ ପ୍ରତିଦିନ  ଆଇପିଏଲ୍‌ ମ୍ୟାଚ୍‌ ଦେଖନ୍ତି । ଏହି କ୍ରମରେ କିଛି  ପରିଚିତଙ୍କ ପରାମର୍ଶରେ ସେ ୧୫ ଦିନ ହେବ  ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଏକ ଅନ୍‌ଲାଇନ୍‌  ଗେମିଂ ଆପ୍‌ସ୍‌ରେ ଟିମ୍‌ ତିଆରି କରୁଥିଲେ । 

ରବିବାର  ଆଇପିଏଲ୍‌ର କ୍ୱାଲିଫାୟର-୨ ମ୍ୟାଚ୍‌ ଥିଲା । ସେ ୨୦ଟି  କ୍ରିକେଟ ଟିମ୍‌ ଗଠନ କରି ପ୍ରତି ଟିମ୍‌  ପିଛା ୪୯ ଟଙ୍କା ହିସାବରେ ମୋଟ ୯୮୦  ଟଙ୍କା ଲଗାଇଥିଲେ । ଖେଳ ଶେଷ ହେଲା  ବେଳକୁ ତାଙ୍କର ୪ ନମ୍ବର ଟିମ୍‌ଟି ସବୁଠୁ  ଅଧିକ ସ୍କୋର୍‌ କରିଥିଲା । ପରେ ତାଙ୍କ  ମୋବାଇଲ୍‌ ସ୍କ୍ରିନ୍‌ରେ ଦେଖାଇଲା କି ସେ  ଉକ୍ତ ଦିନର ‘ମେଗା ୱିନର୍‌’ ହୋଇଛନ୍ତି ।  ଅର୍ଥାତ୍‌ ୩ କୋଟି ଟଙ୍କାର ଅର୍ଥରାଶି ସହ ଏକ ଦାମୀ  ମହିନ୍ଦ୍ରା ଥର୍‌ ଗାଡ଼ି ଜିତିଛନ୍ତି । ଆଉ ଏ ବିଷୟ ଜାଣିବା  ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ବିନୋଦ ।  ରାତି ୨ଟା ହେଲେ ମଧ୍ୟ ଆଖପାଖରେ ଏହି ଖୁସିର  ଖବର ପ୍ରଚାର ହୋଇଯାଇଥିଲା । ଆଉ ସକାଳ ହେଲା  ବେଳକୁ ପୂରା କଟକ ସହରରେ ଖବର ନେଇ ଚହଳ  ପଡ଼ିସାରିଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାଙ୍ଗସାଥୀ  ଫୋନ୍‌ କରି ବିନୋଦଙ୍କୁ ଶୁଭେଚ୍ଛା ଜଣାଇଥିଲେ ।