ଡେଲାଙ୍ଗ, ୧୦/୦୭ : ଡେଲାଙ୍ଗ ବ୍ଲକରେ କୁକୁଡ଼ା ମଡ଼କ। ଅଜଣା ରୋଗରେ ମରିଯାଉଛନ୍ତି ହଜାର ହଜାର ସଂଖ୍ୟାରେ ବ୍ରଏଲର କୁକୁଡ଼ା। ଧାର କରଜ କରିଥିବା କୁକୁଡ଼ା ଚାଷୀଙ୍କ ମୁଣ୍ଡରେ ଏବେ ପଡିଛି ଚଡ଼କ। ଡେଲାଙ୍ଗ ବ୍ଲକ ଅଧୀନ ଆଙ୍କୁଲା, ସିଂହବ୍ରହ୍ମପୁର, ଚାଇଁପୁର, ମୋଟରୀ, ବେଗୁନିଆପଡା ଆଦି ଗ୍ରାମରେ ଏହି ରୋଗରେ ୨୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା ମରିସାରିଲେଣି। ଅନେକ ଚାଷୀ ଦୁଶ୍ଚିନ୍ତାରେ ରହିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଫାର୍ମଗୁଡିକୁ ବିଶୋଧନ କରାଯିବା ସହିତ ମଲା କୁକୁଡ଼ାଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଛି । ବାର୍ଡଫ୍ଲୁ ଆଶଙ୍କା କରାଯାଉଛି ।
ସୂଚନା ଥାଉକି, ଗତ ବର୍ଷ ବାର୍ଡ ଫ୍ଲୁ ଯୋଗୁ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମଡ଼କ ପଡ଼ିଥିଲା । ଲକ୍ଷାଧିକ ବ୍ରଏଲର କୁକୁଡ଼ା ମରିଯାଇଥିବା ବେଳେ ଚାଷୀଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା । ଚଳିତ ବର୍ଷ ପୁନର୍ବାର କୁକୁଡ଼ା ମଡ଼କ ପଡିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ସ୍ଥାନୀୟ ଚାଷୀଙ୍କ କହିବା ମୁତାବକ ଗତ କିଛିଦିନ ହେବ ଅଜଣା ରୋଗ ଦାଉରୁ ପ୍ରତିଦିନ ଅଳ୍ପସଂଖ୍ୟକ କୁକୁଡ଼ା ମରୁଥିଲେ । ଏହି ଘଟଣା ସମ୍ପର୍କରେ ଚାଷୀମାନେ ବ୍ଲକ କୁକୁଡ଼ା ଚାଷୀ ସଂଘରେ ଜଣାଇଥିଲେ । ସଂଘର ସଭାପତି ଗୋପାଳଚନ୍ଦ୍ର ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ ପ୍ରଧାନ, କୃଷକ ନେତା ଅଶୋକ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ଚାଷୀମାନେ ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଦିନକୁ ଦିନ କୁକୁଡ଼ାଙ୍କ ମୃତ୍ୟୁ ହାର ବଢ଼ିବାରେ ଲାଗିଛି । ମଲା କୁକୁଡାଙ୍କୁ ଏଣେତଣେ ନଫିଙ୍ଗି ଖାଲି ସ୍ଥାନରେ ଗାତ କରି ଚୁନ ଏବଂ ବ୍ଲିଚିଂ ପାଉଡର ପକାଇ ପୋତିଦେବାକୁ ବିଭାଗ ପକ୍ଷରୁ ଚାଷୀଙ୍କୁ କୁହାଯାଇଛି । ନମୁନା ପରୀକ୍ଷା ହୋଇ ଆସିବା ପରେ ରୋଗ ଚିହ୍ନଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।