ଭୁବନେଶ୍ୱର, ୩/୧୨ : ମା’ ରମାଦେବୀ ହେଉଛନ୍ତି ସଂଗ୍ରାମ, ତ୍ୟାଗ, ସାଂପ୍ରଦାୟିକ ସଦ୍ଭାବନା, ମାନବିକତା, ପ୍ରତିବଦ୍ଧତା ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରାଚୁର୍ଯ୍ୟରୁ ଆସି ସେ ସରଳତାକୁ ଗ୍ରହଣ କରିଥିଲେ । ଘରକୋଣରୁ ବାହାରି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଓ ଅସହଯୋଗ ଆନ୍ଦୋଳନରେ ତାଙ୍କର ଅଗ୍ରଗଣ୍ୟ ଭୂମିକା ଥିଲା । ଜାତିଭେଦର ସଂକୀର୍ଣ୍ଣ ଅର୍ଗଳି ଛିନ୍ନ କରି ଗ୍ରାମ ସ୍ୱରାଜ୍ୟ, ସାମାଜିକ ନ୍ୟାୟର ପ୍ରବକ୍ତା ଭାବରେ ମା’ ରମାଦେବୀ ଦଳିତ, ଅବହେଳିତ ଓ ନିଷ୍ପେସିତ ବର୍ଗଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟିଥିଲେ । ଭୂଦାନ ଓ ସର୍ବୋଦୟ କରି ରଚନାତ୍ମକ କାର୍ଯ୍ୟରେ ମନୋନିବେଶ କରିଥିଲେ । ଓଡ଼ିଶାରେ ମହିଳାମାନଙ୍କ ସାମାଜିକ, ରାଜନୈତିକ ଭୂମିକାକୁ ସେ ଉଚ୍ଚତର ସ୍ତରକୁ ନେବାରେ ଶକ୍ତିଶାଳୀ ଅବଦାନ ପ୍ରକଟ କରିଥିଲେ । ଲାଞ୍ଛନା, ନିର୍ଯାତନା, ଶୋଷଣ, ଲାଠିମାଡ଼, ଜେଲବରଣକୁ ଖାତିର ନ କରି ମା’ ରମାଦେବୀ ସ୍ୱାଧୀନତା ନିମନ୍ତେ ତାଙ୍କର ଅତୁଳନୀୟ ଅବଦାନ ପ୍ରକଟ କରି ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ମା’ରମାଦେବୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ଫକୀର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଓ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା ପାଶ୍ୱର୍ବର୍ତ୍ତୀ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।