ଭୁବନେଶ୍ୱର,୨୧/୦୧: ବିଜେପି ପରେ ସାଙ୍ଗଠନିକ ନିର୍ବାଚନ ପାଇଁ ଅଣ୍ଟା  ଭିଡ଼ିଲା ବିଜେଡି । ଦଳରେ ରାଜ୍ୟସ୍ତରୀୟ  ଓ ଜିଲ୍ଲାସ୍ତରୀୟ ବିଭିନ୍ନ ପଦବି ପାଇଁ  ସାଙ୍ଗଠନିକ ନିର୍ବାଚନ ହେବ । ତେଣୁ ପୂର୍ବ  ଥର ଭଳି ଏଥର ବି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଏବେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଥିବା ପ୍ରତାପ  ଦେବଙ୍କୁ ବିଜେଡିର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀ ଦେବଙ୍କୁ ଏହି ନିଯୁକ୍ତି ଦେଇଥିବା ବେଳେ ଆଗାମୀ  ଦିନରେ ସେ ସାରା ରାଜ୍ୟରେ ନିର୍ବାଚନ  ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଓ  ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ । ଏହା ସହିତ ଜିଲ୍ଲାସ୍ତରୀୟ ନିର୍ବାଚନ  ଅଧିକାରୀ ମଧ୍ୟ ନିଯୁକ୍ତି ଦିଆଯିବ । ଏବେ  ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ  ସରିବା ପରେ ସାଙ୍ଗଠନିକ ନିର୍ବାଚନକୁ  ଗୁରୁତ୍ୱ ଦିଆଯାଉଛି । ସାଙ୍ଗଠନିକ  ନିର୍ବାଚନର ଏହି ପ୍ରକ୍ରିୟା ୧୧ରୁ ୧୨  ସପ୍ତାହ ଧରି ଚାଲିବ ବୋଲି ବିଜେଡିର  ବରିଷ୍ଠ ନେତା ସୂଚନା ଦେଇଛନ୍ତି ।  

ସାଙ୍ଗଠନିକ ନିର୍ବାଚନ ସରିବା ପରେ  ଦଳକୁ ଆଗାମୀ ଦିନରେ ଜିଲ୍ଲାସ୍ତରରେ  ମିଳିବେ ନୂଆ ନେତା । ଭବିଷ୍ୟତରେ  ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ  ଦଳକୁ କେମିତି ଅଧିକ ମଜଭୁତ  କରାଯିବ, ସେ ନେଇ ନୂଆ ତଥା ଟାଣୁଆ  ନେତା ନିର୍ବାଚିତ କରିବାକୁ ଦଳ ବ୍ଲୁ ପ୍ରିଣ୍ଟ  ପ୍ରସ୍ତୁତ କରିଛି । ବିଶେଷ କରି ଦଳରେ  ଅଧିକ ଗ୍ରହଣୀୟତା ରହିଥିବା ତଥା  ସମସ୍ତଙ୍କୁ ନେଇ ଚାଲୁଥିବା ନେତାଙ୍କୁ  ସୁଯୋଗ ମିଳିବ । ଦଳରେ ନେତା  ନେତାଙ୍କ ଭିତରେ ଥିବା ଅସନ୍ତୋଷକୁ  ଦୂର କରି କେମିତି ନିର୍ବିବାଦୀୟ  ନେତୃତ୍ୱଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ  ପଦବି ମିଳିବ ସେ ନେଇ ଆଗକୁ ଦଳ  ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି ।