ଭୁବନେଶ୍ବର, ୧୧/୦୬: ଅବିଭକ୍ତ କୋରାପୁଟ ଜିଲ୍ଲାରେ ୩୪୪ ଜଣ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଚାରି ମାସ ପରେ ମଧ୍ୟ ମିଳି ନଥୁବାରୁ, ଚାଷୀ ସମାଜ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଚାଷୀମାନଙ୍କୁ ତୁରନ୍ତ ତାଙ୍କ ପ୍ରାପ୍ୟ ପ୍ରଦାନ ଦାବୀରେ ଚାଷୀ ସଂଗଠନ ତରଫରୁ ଆସନ୍ତା ୧୨ ଜୁନରେ ରାଇଘରରେ ୧୨ ଘଣ୍ଟିଆ ବନ୍ଦ ସହିତ କଳା ଦିବସ ପାଳନ ପାଇଁ ଡାକରା ଦିଆଯାଇଛି। ଚାଷୀମାନଙ୍କ ଦ୍ୱାରା ଦିଆଯାଇଥିବା ଏହି ଡାକରାକୁ ବିଜୁ ଜନତା ଦଳ ସମର୍ଥନ ଘୋଷଣା କରିଛି।
ଶଙ୍ଖ ଭବନ ଠାରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ଉପସଭାପତି ରବି ନାରାୟଣ ନନ୍ଦ, ବରିଷ୍ଠ ସାଧାରଣ ସମ୍ପାଦକ ରମେଶ ମାଝୀ ଓ ପ୍ରଦୀପ ମାଝୀ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ରବି ନାରାୟଣ ନନ୍ଦ କହିଥିଲେ, ଉପାନ୍ତ ଅଞ୍ଚଳ ରାଇଘରରେ ମୁଖ୍ୟତଃ ଆଦିବାସୀ ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି। ସରକାରଙ୍କ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବା ପରେ, ରାଇଘର ଅଞ୍ଚଳରେ, ୩୪୪ ଜଣ ଚାଷୀଙ୍କୁ ୧୫ ଫେବୃଆରୀରୁ ୧୬ ମାର୍ଚ୍ଚ ଭିତରେ ଧାନ ବିକ୍ରି କରିବା ପାଇଁ କୁହାଯାଇଥିଲା । ସେହି ହିସାବରେ, ଏହି ଚାଷୀମାନେ ୧୪,୨୫୨ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ। ଏହି ଧାନର ପରିମାଣ ହିସାବରେ, ଚାଷୀମାନେ ପ୍ରାୟ ସାଢ଼େ ୪ କୋଟି ଟଙ୍କା ପାଇବା କଥା । ନିୟମ ଅନୁଯାୟୀ, ୨୪ରୁ ୪୮ଘଣ୍ଟା ଭିତରେ ଧାନ ବିକ୍ରି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା କଥା। କିନ୍ତୁ, ପ୍ରାୟ ଚାରିମାସ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଧାନ ଟଙ୍କା ମିଳି ନାହିଁ । ଏହି ଟଙ୍କା ପାଇବା ପାଇଁ ଧାନ ବିକିଥିବା ଚାଷୀମାନେ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି। ଇତିମଧ୍ୟରେ, ଚାଷୀମାନେ ଧାନ କିଣାରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବ୍ୟତୀତ ସିଏସଓ ଓ ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କର ଅସୁବିଧା ଜଣାଇଛନ୍ତି । ସିଏସଓ ଓ ଜିଲ୍ଲାପାଳ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରମେଶ ମାଝୀ କହିଥିଲେ, ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚାଷୀ ମଣ୍ଡିରେ ଧାନ ଦେଇଥିଲେ ତେଣୁ ଚାଷୀଙ୍କୁ ଧାନ କିଣା ଟଙ୍କା ଶୀଘ୍ର ପ୍ରଦାନ କରାଯାଉ।
ପ୍ରଦୀପ ମାଝୀ କହିଥିଲେ, ଆସନ୍ତା କାଲି ରାଇଘର ଅଞ୍ଚଳରେ କଳା ଦିବସ ପାଳିତ ହେବ ବୋଲି ଚାଷୀ ସମାଜ ଯେଉଁ ଡାକରା ଦେଇଛି, ତାକୁ ବିଜୁ ଜନତା ଦଳ ସମ୍ପୂର୍ଣ ସମର୍ଥନ ଜଣାଉଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ ମଧ୍ୟ ଯୋଗ ଦେବେ ।