ଭୁବନେଶ୍ୱର,୨୮/୧୨; ନୂଆବର୍ଷଠୁ ନୂଆ ରୂପରେ ନଜର ଆସିବ ବିଜୁ ଜନତା ଦଳ । ଯୁବ ଓ ଛାତ୍ର ଟିମ୍ ଗଠନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଯୁବ ଜନତା ସହିତ ବିଜୁ ଛାତ୍ର ବାହିନୀର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି । ଯୁବ ଜନତା କମିଟିରେ ୪ କାର୍ଯ୍ୟକାରୀ ସଭାପତି ସହ ଛାତ୍ର ଦଳରେ ୫ କାର୍ଯ୍ୟକାରୀ ସଭାପତି ରହିଛନ୍ତି । ବିଜେଡ଼ି ସଭାପତିଙ୍କ ଅନୁମୋଦନ କ୍ରମେ ନାଁ ଘୋଷଣା ହୋଇଛି ।
ବିଜୁ ଯୁବ ଜନତା ଦଳରେ ୪ କାର୍ଯ୍ୟକାରୀ ସଭାପତି ସହିତ ୨ ଜଣ ମହାସଚିବ ନାଁ ଘୋଷଣା କରିଛି ଦଳ । ସେହିପରି ୧୫ ବରିଷ୍ଠ ଉପସଭାପତିଙ୍କ ସହ ୫୩ ଜଣ ଉପସଭାପତି ରହିଛନ୍ତି । ୮୫ ଜଣ ସାଧାରଣ ସମ୍ପାଦକ ବିଜୁ ଯୁବ ଜନତା ଦଳରେ ରହିଛନ୍ତି । ସେହିପରି ବିଜୁ ଛାତ୍ର ଜନତା ଦଳରେ ଜିଲ୍ଲା କମିଟିରେ ୧୪୫ ସଦସ୍ୟ ସାମିଲ ହୋଇଛନ୍ତି । ଟିମ୍ରେ ୫ କାର୍ଯ୍ୟକାରୀ ସଭାପତି, ୨ ଜଣ ଜେନେରାଲ ସେକ୍ରେଟାରୀ ରହିଛନ୍ତି । ୧୫ ବରିଷ୍ଠ ଉପସଭାପତିଙ୍କ ସମେତ ୩୪ ଉପସଭାପତି ରହିଛନ୍ତି ।
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( @Naveen_Odisha ) ଙ୍କ ଅନୁମୋଦନକ୍ରମେ ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା କମିଟି ଘୋଷଣା କରାଯାଇଛି।#Kandhamal #BJD4Odisha #BJDWithOdisha pic.twitter.com/X1L6BmQ9bY
— Biju Janata Dal (@bjd_odisha) December 27, 2025
ବିଜୁ ଛାତ୍ର ଜନତା ଦଳର କମିଟିରେ ଭୁବନେଶ୍ୱରର ମିକୁ ପ୍ରଧାନ କାର୍ଯ୍ୟକାରୀ ସଭାପତି ରହିଥିବାବେଳେ ରାୟଗଡ଼ାର ବିଷ୍ଣୁ ପ୍ରସାଦ ପଣ୍ଡା,କଟକର ଚିନ୍ମୟ ଦାସ ଓ ରାଉରକେଲାର ଅଲରଖା ଖାନ, ବିପିୟୁଟି ଭୁବନେଶ୍ୱରର ପ୍ରଦୋଶ ପରିଡା କାର୍ଯ୍ୟକାରୀ ସଭାପତି ରହିଛନ୍ତି । ସେହିପରି ବିପିୟୁଟିର ରକି ଦାସ ଓ ଭୁବନେଶ୍ୱରର ସୁଜିତ୍ ପଲଟସିଂହ ଜେନେରାଲ ସେକ୍ରେଟେରୀ ରହିଛନ୍ତି । ସେହିପରି ବିଜୁ ଯୁବ ଜନତା ଦଳରେ ବାଲେଶ୍ୱରର ଶୁଭେନ୍ଦୁ ମଙ୍ଗରାଜ, ବଲାଙ୍ଗୀରର ରାଜେନ୍ଦ୍ର ହୋତା, ଗଞ୍ଜାମର ପ୍ରଶାନ୍ତ ପଣ୍ଡା ଓ ଭୁବନେଶ୍ୱରର ଅମିର ଅହମ୍ମଦଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିଛି ।
ନିକଟରେ ୨୯ତମ ପ୍ରତିଷ୍ଠା ଦିବସ ପାଳିଥିଲା ବିଜୁ ଜନତା ଦଳ । ବିରୋଧୀ, ସମାଲୋଚକ ଓ ରାଜନୈତିକ ପଣ୍ଡିତଙ୍କୁ ନବୀନ ଦେଇଥିଲେ କଡ଼ା ଜବାବ । ପ୍ରତିଷ୍ଠା ଦିବସରେ ନବୀନ ସିଧାସିଧା କହିଥିଲେ ଗଣତନ୍ତ୍ରରେ ହାରଜିତ୍ ରହିଛି । ଏବେ କିଛି ଲୋକ, କିଛି ଦଳ ଆମ ବିଷୟରେ ଅପପ୍ରଚାର କରୁଛନ୍ତି ଯେ ବିଜୁ ଜନତା ଦଳ ଭାଙ୍ଗି ଯିବ । ଏମିତି ଗୁଜବ ଚାଲିଛି । ହେଲେ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ବିଜେଡି ଅଛି, ରହିବ । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ ବିଜେଡି ।