ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୋଲାଭରମ ପ୍ରକଳ୍ପରେ ବୁଡ଼ିବ ମାଲକାନଗିରିର ୨୦୦ରୁ ଅଧିକ ଗାଁ, ଆଜି ଦିଲ୍ଲୀ ଯାଇ ଫେରାଦ ହେବ ବିଜେଡି ଟିମ୍‌

Published By : Prameya | December 3, 2024 9:19 AM

ଭୁବନେଶ୍ୱର,୦୩/୧୨: ପୋଲାଭରମ  ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ  ଅଧିକ ଗାଁ ବୁଡ଼ିଯିବ । ପ୍ରକଳ୍ପର ବର୍ଦ୍ଧିତ ଜଳଧାରଣ  କ୍ଷମତା ଯୋଗୁ ମାଲକାନଗିରି ଅଞ୍ଚଳ ସାଙ୍ଘାତିକ  ପ୍ରଭାବିତ ହେବ । ଏହା ବିରୋଧରେ କେନ୍ଦ୍ରୀୟ ଜଳ  କମିଶନ(ସିଡବ୍ଲୁସି) ସମେତ ପ୍ରକଳ୍ପ ସମ୍ବନ୍ଧୀୟ ଅନ୍ୟ  ବରିଷ୍ଠ ଅଧିକାରୀଙ୍କୁ ଭେଟି ଫେରାଦ ହେବ ବିଜେଡି  ଟିମ୍‌ । ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସମେତ ୧୪ଜଣ ବରିଷ୍ଠ ନେତା ମଙ୍ଗଳବାର ଦିଲ୍ଲୀ ଯିବେ  ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । 

ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ  ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ କମିଟି  ଆବାହକ ଅତନୁ ସବ୍ୟସାଚୀ ନାୟକ କହିଥିଲେ,  ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର  ଦିନ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବ । ସେମାନେ  ସେଠାରେ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ  ବିଭାଗର ଅଧିକାରୀଙ୍କୁ ଭେଟିବେ । ଏହି ପ୍ରକଳ୍ପ  ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ  ଅବଗତ କରିବେ । ପୋଲାଭରମ ପ୍ରକଳ୍ପ ଆରମ୍ଭ  ସମୟରେ ଏହାର ଜଳଧାରଣ କ୍ଷମତା ୩୬ ଲକ୍ଷ  କ୍ୟୁସେକ ରହିବ ବୋଲି କୁହାଗଲା । କିନ୍ତୁ ପରେ  ଏହାର କ୍ଷମତା ୫୦ ଲକ୍ଷ କ୍ୟୁସେକକୁ ବଢ଼ାଗଲା ।  ଜଳଧାରଣ କ୍ଷମତା ବଢ଼ିବା ପରେ ମାଲକାନଗିରି  ଜିଲ୍ଲାରେ ପଡ଼ିବାକୁ ଥିବା ପ୍ରଭାବ ଆକଳନ ହୋଇନଥିଲା । 

୨୦୦୭ ମସିହାରେ ରାଜ୍ୟ ସରକାର  ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପ୍ରକଳ୍ପର  କ୍ଷମତା ବଢ଼ିବା ପରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ  ଏହାର ପ୍ରଭାବ ଆକଳନର ଆବଶ୍ୟକତା ରହିଛି  ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ । ଏହାପରେ  ମଧ୍ୟ ଆକଳନ କରାଗଲାନି । ବର୍ଦ୍ଧିତ କ୍ଷମତାରେ  ପ୍ରକଳ୍ପ ହେଲେ, ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ  ଅଞ୍ଚଳକୁ ବୁଡ଼ାଇବ, ତାହାର ଆକଳନ କରାଯାଇନି। ଜଳଧାରଣ ପ୍ରକଳ୍ପ କ୍ଷମତା ୫୦ ଲକ୍ଷ କ୍ୟୁସେକ୍‌  ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ  ବୋଲି ଆଇଆଇଟି ରୁର୍‌କୀ ପକ୍ଷରୁ କୁହାଯାଇଛି ।  

ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ବଜେଟରେ  ୧୫ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା  ହୋଇଥିଲା । ଏହି ଘୋଷଣା ପରେ ମାଲକାନଗିରି  ଜିଲ୍ଲାର ବାସିନ୍ଦା ଭୟଭୀତ ହୋଇଥିଲେ । ସେମାନଙ୍କ  ଆଶଙ୍କାକୁ ସମ୍ମାନ ଜଣାଇ ବିଜେଡି ସଭାପତି  ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ  ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍‌ ପଠାଇଥିଲେ । ମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ  ଗାଁ ଓ ପଡ଼ା ଗ୍ରାମ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା  କରାଯାଉଛି । ଏଥିପାଇଁ ବିଜେଡି ପ୍ରତିନିଧି ଦଳ  ଦିଲ୍ଲୀ ଯାଇ ସିଡବ୍ଲୁସି ଅଧିକାରୀ, ପ୍ରକଳ୍ପ ସହ  ସମ୍ବନ୍ଧୀୟ ବିଭିନ୍ନ ମନ୍ତ୍ରଣାଳୟ ଓ ନିୟାମକ ଅନୁଷ୍ଠାନର  କର୍ତ୍ତୃପକ୍ଷଙ୍କୁ ଭେଟି ଓଡ଼ିଶାର ଉଦ୍‌ବେଗ ଜଣାଇବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.