ଭୁବନେଶ୍ୱର (ପ୍ରମେୟ ଡିଜିଟାଲ): ପୁରୁଣା ଷ୍ଟାଇଲ । ନୂଆ ଅପରେସନ । ନବୀନ ନେଇଛନ୍ତି ବଡ଼  ନିଷ୍ପତ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ନବୀନଙ୍କ ଏଭଳି ଆକସ୍ମିକ ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଆଣିଛି ହଲଚଲ୍‌ ।

୨୦୨୪ରେ ନବୀନଙ୍କ ବିଜୟ ରଥରେ ବ୍ରେକ୍ ଲାଗିବା ପରେ ବିଜେଡିରେ ଲାଗି ରହିଛି ବିଶୃଙ୍ଖଳା । ଦଳୀୟ ଫୋରମ ବାହାରେ ଭିନ୍ନ ମତ ରଖିବା ସହ ନେତାମାନେ ତୁଣ୍ଡକୁ ଯାହା ଆସିଲା କହୁଥିଲେ । ଗଣମାଧ୍ୟମରେ ବୟାନବାଜି ଚଳାଇଥିଲେ । ତେବେ ହଠାତ୍‌ ସନା ଓ ଅରବିନ୍ଦଙ୍କ ଉପରେ ନବୀନଙ୍କ ଖଣ୍ଡାଚୋଟ ପଛର କାରଣ କ’ଣ ତାହା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇନି । କେବଳ ଦଳବିରୋଧୀ କାର୍ଯ୍ୟ ବୋଲି ନବୀନଙ୍କ ଦସ୍ତଖତ ଥାଇ ବିଜେଡି ପକ୍ଷରୁ ପ୍ରେସ ଇସ୍ତାହାରରେ କୁହାଯାଇଛି ।

 ଅରବିନ୍ଦ ପ୍ରଥମ ଥର ବିଧାନସଭାକୁ ପାଟକୁରାରରୁ ଜିତି ଆସିଥିଲେ । ବରିଷ୍ଠ ରାଜନେତା ବିଜୟ ମହାପାତ୍ର ୨୫ ବର୍ଷ ହେବ ପ୍ରତ୍ୟକ୍ଷ ଭାବେ ରାଜ୍ୟ ରାଜନୀତିଠାରୁ ଦୂରେଇ ରହିଥିଲା ବେଳେ ୨୦୨୪ରେ ପୁଅ ଅରବିନ୍ଦ ବିଜେଡି ଟିକଟ ପାଇ ବିଧାନସଭାକୁ ଆସିଥିଲେ । ସେହିଭଳି ବରିଷ୍ଠ ବିଧାୟକ ସନାତନ ମହାକୁଡ଼ଙ୍କୁ କିଛି ମାସ ତଳେ ନବୀନ ବିଧାନସଭା ପରିସରରେ ବିଶୃଙ୍ଖଳିତ ଆଚରଣ ପାଇଁ ନାଲିଆଖି ଦେଖାଇଥିଲେ । ମାତ୍ର ସନାତନଙ୍କ ଉପରେ ସେ ତୀକ୍ଷଣ ଦୃଷ୍ଟି ରଖିଥିଲେ । ଆଜି ହଠାତ୍‌ ବିଜେଡି ସୁପ୍ରିମୋ ଦୁଇ ବିଧାୟକଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅରବିନ୍ଦଙ୍କ ରାଜନୀତି କ୍ୟାରିୟର ମାତ୍ର ଦୁଇବର୍ଷ ହୋଇଥିଲା ବେଳେ ହଠାତ୍‌ ଏଭଳି କାର୍ଯ୍ୟାନୁଷ୍ଠାନ ତାଙ୍କ ସମର୍ଥକଙ୍କୁ ଆଚମ୍ବିତ କରିଛି । ସେହିଭଳି ସନା ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କ ଜନ୍ମଦିନରେ ଶୁଭେଛା ଜଣାଇ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲେ । ଏହାକୁ ନେଇ ବିଜେଡି ଦଳ ମଧ୍ୟରେ ଗୁଂଜରଣ ଆରମ୍ଭ ହୋଇଥିଲା । ଦଳ ପକ୍ଷରୁ ଦିବ୍ୟଶଙ୍କର ମିଶ୍ର ଓ ଗଣେଶ୍ୱର ମିଶ୍ର କହିଛନ୍ତି ଦୁଇ ବିଧାୟକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ବିଶୃଙ୍ଖଳା ଆଚରଣ ପାଇଁ ଦୁହିଁଙ୍କୁ ନିଲମ୍ବନ କରାଯାଇଛି । ତେବେ ଅରବିନ୍ଦ କହିଛନ୍ତି, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ଏପରିକି ଦଳକୁ କ୍ଷତି ପହଞ୍ଚାଇବା ଭଳି କିଛି କହିନି କି କରିନି। ମୁଁ ଦଳର ସଭାପତିଙ୍କ ଠାରୁ ବୁଝାବୁଝି କରେ ତା ପରେ ଗଣମାଧ୍ୟମକୁ ଯାହା କହିବି ।

ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଝୁମୁକାରେ କିଛି ବିଜେଡି ନେତା ମେଳି କରିଥିଲେ । ଏପରିକି ଶଙ୍ଖ ଭବନରେ ମୁନା ଖାଁ ମଧ୍ୟ ବୁଲେଇ ବଙ୍କେଇ କଡ଼ା ଟିପ୍ପଣୀ ରଖିଥିଲେ । ସାଂସଦ ଦେବାଶିଷ ସାମନ୍ତରାୟ ନିକଟରେ ଦଳୀୟ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଧରିଥିଲା । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ବିଶ୍ବାସଘାତକଙ୍କୁ ସଭାପତି ନିଲମ୍ବନ କରିବା ଯଥାର୍ଥ ନୁହେଁ।

'କାହିଁକି ନିଲମ୍ବିତ କଲେ, ମୁଁ ଜାଣିନି': ସନାତନ

ଏନେଇ ସନାତନ କହିଛନ୍ତି, ନିଲମ୍ବନର କାରଣ ମୁଁ ଜାଣିନାହିଁ । ମୁଁ ଦଳ ବିରୋଧରେ କିଛି କହିନି କିମ୍ବା କୌଣସି ଦଳ ବିରୋଧୀ କାମ କରିନାହିଁ । ଦଳୀୟ ନେତୃତ୍ୱଙ୍କ ସମ୍ପର୍କରେ କିଛି କଟୁ ମନ୍ତବ୍ୟ ଦେଇନାହିଁ । ଗତ ୧୩ ତାରିଖରେ କେନ୍ଦୁଝରରେ ଏକ ମିଟିଂ ହୋଇଥିଲା, ସେଥିରେ ମୁଁ କହିଥିଲି କେନ୍ଦୁଝର ଜିଲ୍ଲାର କିଛି ବିକାଶ ହୋଇନାହିଁ । କେନ୍ଦୁଝର ଜିଲ୍ଲା ଅଧିକ ରାଜସ୍ୱ ଦେଉଥିବାବେଳେ ବିଜେଡି ସରକାର ସମୟରେ ଜିଲ୍ଲାକୁ ଅବହେଳା କରାଯାଇଛି । ଯଦି ଏଥିପାଇଁ ନିଲମ୍ବନ କରାଯାଇଛି, କିଛି କହିବାର ନାହିଁ । ମୁଁ ଲୋକଙ୍କ ସହ ଥିଲି, ଅଛି, ଲୋକଙ୍କ ପାଇଁ କାମ କରିବି । 

'ଦଳ ବିରୋଧୀ କାମ କରିନି, ବିବାଦୀୟ ବୟାନ ଦେଇନି': ଅରବିନ୍ଦ

ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କ କ୍ଷେତ୍ରରେ କାହିଁକି ନବୀନ କାର୍ଯ୍ୟାନୁଷ୍ଠାନ ଖଣ୍ଡା ବୁଲାଇଲେ, ତାହା ଅନେକ ଚର୍ଚ୍ଚା ବଢ଼ାଇଛି । ଖୋଦ୍‌ ଅରବିନ୍ଦ ଗଣମାଧ୍ୟମକୁ କହିଛନ୍ତି, ଏହା ମୋ ପାଇଁ ସରପ୍ରାଇଜ୍‌ । କାହିଁକି ଦଳୀୟ ନେତୃତ୍ୱ ଏଭଳି କାର୍ଯ୍ୟାନୁଷ୍ଠାନ ନେଲେ, ଜାଣିନାହିଁ । ଦଳ ବିରୋଧୀ କିଛି କାମ କରିନି । ଦଳକୁ ଅଡ଼ୁଆରେ ପକାଇଲା ଭଳି କୌଣସି ବିବାଦୀୟ ବୟାନ ଦେଇନାହିଁ । ଶାସକ ଦଳ ଯେବେ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ପୂର୍ବର ବିଜେଡି ସରକାର ବିରୋଧରେ ଅଭିଯୋଗ କରିଛନ୍ତି, ତା’ର ଜବାବ ଦେଇଛି । ଶାସକ ଦଳ ଅଭିଯୋଗ କରିବା ବଦଳରେ ତଦନ୍ତ କରନ୍ତୁ, ଯିଏ ଦୋଷୀ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦଳ ବିରୋଧରେ କିଛି କହିନି । କୌଣସି ମେଳିକୁ ଯାଇନି କିମ୍ବା କିଛି ଦଳ ବିରୋଧୀ କାମ କରିନାହିଁ । ନିର୍ବାଚନମଣ୍ଡଳୀରେ ଫୋକସ କରି ମୁଁ କାମ କରି ଚାଲିଛି ।   ସେ ଆହୁରି କହିଛନ୍ତି, ମୋ ବାପା ସ୍ୱତନ୍ତ୍ର । ସେ ଓଡ଼ିଶାରେ ଜଣେ ପରିଚିତ ବ୍ୟକ୍ତିତ୍ୱ । ସିଏ କାହା ସହ ବସିବେ, କଥା ହେବେ, ସେଇଟା ତାଙ୍କ ଇଚ୍ଛାଧୀନ । ମୋ ପ୍ରସଙ୍ଗରେ ତାଙ୍କୁ ଭିଡ଼ିବା ଠିକ ନୁହେଁ । ଅରବିନ୍ଦଙ୍କ ବାପା ତଥା ବରିଷ୍ଠ ନେତା ଶ୍ରୀ ମହାପାତ୍ର କହିଛନ୍ତି, ମୁଁ କୌଣସି ଦଳରେ ନାହିଁ । କ’ଣ ପାଇଁ ବିଜେଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଲା, ସେ କଥା ତାଙ୍କ ଦଳର ନେତା କହିପାରିବେ । ମୁଁ ଜାଣିବାରେ ପୁଅ ସେମିତି କିଛି କରିନି । ଖାଲି ଦଳ ବିରୋଧୀ କାର୍ଯ୍ୟ କହିଦେଲେ ହେବନି, ସେ କ’ଣ କରିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ତାହା ଜଣାଇବା ଉଚିତ । 

'ସମଝଦାର କୋ ଇସାରା କାଫି ହେ'

ବିଜେଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଭିନ୍ନ ଏକ ଚର୍ଚ୍ଚା ବଢ଼ାଇଛି । ଫେସବୁକ ପୃଷ୍ଠାରେ ଶ୍ରୀମୟୀ କହିଛନ୍ତି, ନୂଆପଡ଼ା ପରେ ଆରମ୍ଭ ହେଲା ରାଜ୍ୟସଭା ଡିଲ୍‌ । ଏହାସହ ସେ ଲେଖିଛନ୍ତି, ସମଝଦାର କୋ ଇସାରା କାଫି ହେ ।