ଭୁବନେଶ୍ୱର, ୩୧/୦୩: କିଏ ହେବ ବିଜେଡି ଜିଲ୍ଲା ସଭାପତି ? ବିଧାୟକ ନା ଆଉ କିଏ? କାହା ହାତରେ ରହିବ ଛାମୁଆ  ସଂଗଠନ? ଯୋଗ୍ୟତା ମାପକାଠି କ’ଣ ରହିବ- ଅଭିଜ୍ଞତା, ଆନୁଗତ୍ୟ ନା ବଡ଼ ନେତାଙ୍କ ଲବି? ଏହାକୁ ନେଇ ବିଜୁ ଜନତା  ଦଳରେ ଏବେ ଟଣାଓଟରା ସ୍ଥିତି । ଦଳର  ବରିଷ୍ଠ ପ୍ରଭାବଶାଳୀ ନେତାଙ୍କ ଦରବାରରେ  ଚାଲିଛି ଲବି ରାଜନୀତି । ପତିଆରା ବଢ଼ାଇବା  ପାଇଁ ସଂଗଠନକୁ ନିଜ ଅକ୍ତିଆରରେ ରଖିବାକୁ  ବଡ଼ ନେତା କୁଦି ପଡ଼ିଛନ୍ତି ଲବି ଲଢ଼େଇରେ । 

କ୍ଷମତା ହାତ ଛଡ଼ା ହେବା ପରେ ପ୍ରଥମ  ଥର ପାଇଁ ବିଜେଡ଼ିରେ ହେବ ଦଳୀୟ ନିର୍ବାଚନ । ଦଳରେ ଆମୂଳଚୁଳ ପରିବର୍ତ୍ତନ  ହେବ । ଏପ୍ରିଲ ୧୪ ସୁଦ୍ଧା ଦଳ ନୂଆ ରୂପରେଖ ନେଇ ମଇଦାନକୁ ଓହ୍ଲାଇବ । ଦଳ କ୍ଷମତାରେ ଥିବାବେଳେ କେବଳ ଗୋଟିଏ ଇସାରାରେ ସବୁ କିଛି ହୋଇଯାଉଥିଲା । ସରକାରୀ ବଦଳି, ପୋଷ୍ଟିଂ ତାଲିକା ବାହାରିଲା ଭଳି ଜିଲ୍ଲା ସଭାପତି ଓ ଦଳୀୟ କର୍ମକର୍ତ୍ତାଙ୍କ ନିଯୁକ୍ତି ଘୋଷଣା ହୋଇଯାଉଥିଲା । ଏଥର କିନ୍ତୁ ତଣ୍ଟିରେ କଣ୍ଟା ଲାଗିଯାଇଛି । ନିର୍ଦ୍ଦେଶକର୍ତ୍ତାଙ୍କ ସେ ଆଣ୍ଟପଣ ଆଉ ନାହିଁ କି ଗୋତି ଶ୍ରମିକ ଭଳି ସବୁକିଛି ମାନିନେବା ମୁଡ଼୍‌ରେ ତଳସ୍ତର ନେତା ନାହାନ୍ତି ।  ଜିଲ୍ଲା ସଭାପତି ପଦକୁ ନେଇ ସବୁଜିଲ୍ଲାରେ  ଟଣାଓଟରା ଆରମ୍ଭ ହୋଇଯାଇଛି । କାହା ହାତରେ ଜିଲ୍ଲା ମଙ୍ଗ ଦେବେ, ଦଳ ନିର୍ଣ୍ଣୟ  କରିପାରୁନି । ୩୩ଟି ସାଂଗଠନିକ ଜିଲ୍ଲା ଭିତରୁ  ଅଧାରୁ ଅଧିକ ଜିଲ୍ଲାରେ ବିବାଦ ତୁଟୁନି । ଘନଘନ ବୈଠକ ବସୁଛି ଶଙ୍ଖ ଭବନରେ ।  ଜିଲ୍ଲାର ବିଧାୟକ, ବିଧାନସଭା ଟିକଟ ଆଶାୟୀ,  ପୂର୍ବତନ ଜିଲ୍ଲା ସଭାପତି ଓ ପୁରୁଖା ନେତାଙ୍କୁ ଡାକି ଆଲୋଚନା କରାଯାଉଛି । ହେଲେ କେହି  କାହାକୁ ବାଟ ଛାଡ଼ିବାକୁ ନାରାଜ । କେତେକ  ରାଜ୍ୟସ୍ତରୀୟ ନେତା ମଧ୍ୟ ଜିଲ୍ଲା ସଭାପତି ପଦକୁ ଲୋଭ କରିଛନ୍ତି । ନିଜେ  ନ ହେଲେ ନିଜ ଅନୁଗତଙ୍କୁ  ଜିଲ୍ଲା ମୁଖିଆ କରିବାକୁ  ଲାଗି ପଡ଼ିଛନ୍ତି । ମୁଖ୍ୟ କଥା ହେଲା ଯେଉଁ ତଥାକଥିତ ନେତାମାନେ ଶଙ୍ଖଭବନକୁ ଡାକି  ଆଲୋଚନା କରି ଅସନ୍ତୁଷ୍ଟଙ୍କୁ ମନାଇବାକୁ ଚାହୁଁଛନ୍ତି, ସେମାଙ୍କର ବି ସେମିତି ପତିଆରା  କି ହାକିମାତିର ତାକତ ନାହିଁ ।  

ସେହିପରି ବିଜେଡିର ରାଜ୍ୟ କମିଟିରେ  କାହାକୁ ଓଜନିଆ ଦାୟିତ୍ୱ ମିଳିବ, ତାହା  ଉପରେ ଆଗ ଧାଡ଼ିଆ ନେତାଙ୍କ ଆଖି ଲାଖିଛି ।  ଏଥର ସଂଗଠନରେ କିଛି ବଡ଼ ଓଲଟପାଲଟ  କରିପାରନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଆଗ ଭଳି କାହାରିକୁ ଏକାଙ୍ଗ ଚକ୍ରବର୍ତ୍ତୀ  ନକରି ସମସ୍ତଙ୍କୁ ନେଇ ଏକ ସମତୁଲ କମିଟି  ଗଢ଼ିବାକୁ ଚେଷ୍ଟା ଚାଲିଥିବା ଖବର ମିଳିଛି । ଏହି  କମିଟିରେ ଦଳର ପ୍ରଭାବଶାଳୀ ବରିଷ୍ଠ ନେତାଙ୍କୁ ସ୍ଥାନ ଦେବେ ନବୀନ । ତେବେ ବଡ଼ ପଦ ପାଇଁ  ବଡ଼ ନେତା ଏବେ ନବୀନଙ୍କ ମନ ଜିତିବାକୁ  ଲାଗି ପଡ଼ିଛନ୍ତି । କିଏ ଗଲା ନିର୍ବାଚନ ଫଳକୁ ଆୟୁଧ କରି ଦାବି କରୁଛନ୍ତି ତ ଆଉ କିଏ  ବିଧାନସଭାରେ ପ୍ରଦର୍ଶନ ଦେଖାଇ ନବୀନଙ୍କ  ପ୍ରିୟ ହେବାକୁ ଲାଗିଛନ୍ତି । ଦେବୀ  ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ  ଦାସ, ପ୍ରସନ୍ନ ଅଚାର୍ଯ୍ୟ,  ଅତନୁ ସବ୍ୟସାଚୀ ନାୟକ,  ପ୍ରତାପ ଜେନା, ପ୍ରତାପ  କେଶରୀ ଦେବ, ସଞ୍ଜୟ  ଦାସବର୍ମା, ରଣେନ୍ଦ୍ର ପ୍ରତାପ  ସ୍ୱାଇଁ, ଅଶୋକ ପଣ୍ଡା, ଅରୁଣ  ସାହୁ, ଚନ୍ଦ୍ରଶେଖର ସାହୁ,  ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ମାଝୀ,  ସୁଦାମ ମାର୍ଣ୍ଡି, କଳିକେଶ ନାରାୟଣ ସିହଦେଓ,  ଟୁକୁନି ସାହୁ, ବିକ୍ରମ ଆରୁଖ, ପ୍ରୀତିରଂଜନ  ଘଡ଼ାଇ, ବିକ୍ରମ ପଣ୍ଡା, ରମେଶ ମାଝୀ,  ରବିନାରାୟଣ ନନ୍ଦ, ଗଣେଶ୍ୱର ବେହେରାଙ୍କ  ଭଳି ବଡ଼ ନେତାଙ୍କୁ ନବୀନ କେଉଁ ଦାୟିତ୍ୱ  ଦେବେ, ତାହା ଉପରେ ସଭିଙ୍କ ନଜର । 

ସବୁଠାରୁ ବେଶି ଟଣାଓଟରା ଓ ଲବି  ଛାମୁଆ ସଂଗଠନକୁ ନେଇ । ବିଜେଡି ଯୁବ  ସଭାପତି ପଦ ନେଇ ବିଧାୟକ ଦେବୀ ରଞ୍ଜନ  ତ୍ରିପାଠୀ, ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ  ବିଧାୟକ ରୁଦ୍ର ମହାରଥୀ ଓ ଚିନ୍ମୟ ସାହୁଙ୍କ ନାମ ଚର୍ଚ୍ଚାରେ । ଦୀର୍ଘ ବର୍ଷ ଧରି ବିଜେଡି  ଛାତ୍ର ସଂଗଠନ ମଙ୍ଗ ଧରିଥିବା ବିଧାୟକ  ଦେବୀଙ୍କ ସପକ୍ଷରେ ଦଳର ବହୁ ବରିଷ୍ଠ  ନେତାଙ୍କ ସମର୍ଥନ ଥିବା କୁହାଯାଉଛି । ଦେବୀଙ୍କ  ଦାବିଦାରୀକୁ ଅତନୁ, ପ୍ରତାପ, ସଞ୍ଜୟଙ୍କ ଭଳି  ଟାଣୁଆ ନେତା ଭିତିରିଆ ସମର୍ଥନ କରୁଥିବା  ଶୁଣିବାକୁ ମିଳୁଛି । ଶୁଭାଶିଷ ଓ ରୁଦ୍ର ମଧ୍ୟ  ଜୋରଦାର ଲବି ଚଳାଇଛନ୍ତି । ଏପଟେ ଚିନ୍ମୟଙ୍କ  ପଛରେ ଅରୁଣଙ୍କ ସମର୍ଥନ ଥିବା ଦଳୀୟ  ମହଲରୁ ଶୁଣିବାକୁ ମିଳୁଛି । କ୍ଷମତାଚ୍ୟୁତ  ହେବା ପରେ ଦଳ ସଙ୍କଟ ଦେଇ ଗତି  କରୁଥିବାରୁ ଅଭିଜ୍ଞତା ଓ ଆନୁଗତ୍ୟ ଆଧାରରେ  ଛାମୁଆ ନେତୃତ୍ୱ ଚୟନ ପାଇଁ ଦାବି ତେଜିଛି ।  

ମହିଳା ସଂଗଠନ ନେତ୍ରୀ ହେବାକୁ  ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ଶ୍ରୀମୟୀ  ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆ ଆଶାୟୀ ଥିବା  କୁହାଯାଉଛି। ଏହାକୁ ନେଇ ମଧ୍ୟ ଦଳ  ଭିତରେ ଛକାପଞ୍ଝା ଲାଗି ରହିଛି ଦୁଇ ଗୋଷ୍ଠୀ  ଭିତରେ । ଛାତ୍ର ବିଜେଡି ସଭାପତି ପଦ ନିଜ  ଅନୁଗତଙ୍କ ପାଖରେ ରଖିବାକୁ ଦଳର ବଡ଼  ନେତାଙ୍କ ଭିତରେ ଟଣାଓଟରା ଲାଗି ରହିଛି ।  ବିଜେଡିର ଗୋଟିଏ ଗୋଷ୍ଠୀ ହରିଶଙ୍କର  ରାଉତଙ୍କୁ ସମର୍ଥନ କରୁଥିବାବେଳେ ଦଳର  ଜଣେ ବଡ଼ ନେତା ରାଜେଶ ରାଜ ସ୍ୱାଇଁଙ୍କ  ଦାବିଦାରୀକୁ ସମର୍ଥନ ଦେଉଥିବା ଶୁଣିବାକୁ  ମିଳିଛି । ଏହି ଛକାପଞ୍ଝା ଭିତରେ ବିଧାୟକ  ସୌଭିକ ବିଶ୍ୱାଳଙ୍କ ନାମ ମଧ୍ୟ ଚର୍ଚ୍ଚାରେ  ଅଛି । ଏହାବାଦ୍‌ ପ୍ରଦ୍ୟୋଷ ପରିଡ଼ା ମଧ୍ୟ  ଅନ୍ୟତମ ଆଶାୟୀ ବୋଲି କୁହାଯାଉଛି ।