କଳିଙ୍ଗନଗର,୨୯/୦୭: ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରି ଆଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରୀତିରଂଜନ ଘଡ଼େଇ। ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜଳିଦେବା ପାଇଁ ଧମକ ଦେବା, ୭ଘଣ୍ଟା ଧରି ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ଡାନିଙ୍କ ସମେତ ୨୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହାକୁ ନେଇ କଳିଙ୍ଗନଗର ଥାନାଧିକାରୀ ପ୍ରକାଶ କୁମାର ସାହୁ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି । ଗତକାଲି କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ-ଡ଼ୁବୁରୀ ରାସ୍ତାର ଟାଟା ପ୍ଲଟ-୨ ଜିନ୍ଦଲ କାରଖାନା ନିକଟରେ କାରଖାନା ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।
ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା, ପୁଲିସକୁ ଗାଳିଗୁଲଜ କରିବା ପରି ଅଭିଯୋଗରେ କେସ୍ ନଂ ୨୩୬/୨୫ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୬(ଏଫ୍), ୧୯୦, ୧୧୫(୨), ୩୫୧(୩), ୩୫୧(୨), ୨୯୬, ୪୯, ୧୨୬(୨), ୨୮୫, ୨୨୧, ୧୯୧(୨)ରେ ଏହି ମାମଲା ରୁଜୁ କରାଯାଇଛି ।
ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କ ସମେତ ମନୋରଂଜନ ହାଇବ୍ରୁ, ଟୁକୁ ସାହୁ, ସୁଦାମ ପହି, ସାଗର ଧୀର, ଜଟିଆ ପାତ୍ର, ମିନିଜା ପାତ୍ର, ବଣ୍ଟି ଖାଁ, ରାଜା ଖାଁ, ଜନ୍ମଜେୟ ଦେଓ, ସୋନୁ ମଲିକ, ପ୍ରଦୀପ ନାୟକ, ଆଝାର ଅହମ୍ମନ ଖାଁ, ମୋହନ ଦେହୁରୀ, ଅଶୋକ କୁମାର ଦାସ, ତୁଷାର ସାହୁ, ରଂଜନ ସାହୁ, ଭାଗିରଥୀ ବେହେରା, କାଶୀନାଥ ଭୂୟାଁ, ଅର୍ଜୁନ ପୂର୍ତ୍ତି, ଲକ୍ଷ୍ମୀଧର ଦାସ ପ୍ରମୁଖଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ନଟିସାହି ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ପୁଅ ଅଭିମନ୍ୟୁ ମହାନ୍ତ(୪୨) ଜିନ୍ଦଲ କାରଖାନାରେ ଗାୟତ୍ରୀ ଏଣ୍ଟରପ୍ରାଇଜେସ୍ ଅଧୀନରେ ଅଣକୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ସେ ନିଜ ସାଙ୍ଗ ବନ୍ଧଗାଁର ସନିଆ ମହାକୁଡ଼ଙ୍କ ପୁଅ ଲକ୍ଷ୍ମୀଧର ମହାକୁଡ଼(୩୫)ଙ୍କ ସହିତ ଆସୁଥିବା ସମୟରେ ଶିଳ୍ପାଞ୍ଚଳ ଅନ୍ତର୍ଗତ ଏକ କାରଖାନାର ବସ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଭିମନ୍ୟୁଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଲକ୍ଷ୍ମୀଧର ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀ, ମୃତ ଯୁବକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥିଲେ । କ୍ଷତିପୂରଣ ଦାବିରେ ଶବ ରଖି ସଂପର୍କୀୟ ଓ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ପୁଲିସ ଓ ପ୍ରଶାସନ ବୁଝାଇବା ସତ୍ତେ୍ୱ ଆନ୍ଦୋଳନକାରୀ ରାସ୍ତାରୁ ଉଠିନଥିଲେ । ଏଣୁ ବାଧ୍ୟ ହୋଇ ରାତି ପ୍ରାୟ ୯ଟା ସମୟରେ ପୁଲିସ ମୃଦୁ ଲାଠି ଚାଳନା କରିଥିଲା।