ଭୁବନେଶ୍ୱର, ୧୨/୦୭: ସୁସ୍ଥ ହେବା ପରେ ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ। ସ୍ବତନ୍ତ୍ର ବିମାନ ଯୋଗ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କଲେ ବିଜେଡି ନେତା ଓ କର୍ମୀ। ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ ବିମାନବନ୍ଦର  ଟର୍ମିନାଲ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି  ଥିବା ବିମାନବନ୍ଦର ଗୋଲେଇ ଛକରେ  ଉପସ୍ଥିତ ରହି ନବୀନଙ୍କୁ ସ୍ୱାଗତ ଜଣାଇଥିଲେ। ସେଠା‌ରେ ବରିଷ୍ଠ ବିଜେଡି ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ, ବରିଷ୍ଠ ନେତା ସଞ୍ଜାୟଦାଶ ବର୍ମା, ବିଜେଡିର ସାଂଗଠନିକ ସମ୍ପାଦକ ନେତା ପ୍ରଣବ ପ୍ରକାଶ ଦାସ( ବିବି), ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା,ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ବିଜେଡ଼ି ମହିଳା ମୋର୍ଚ୍ଚା, ଯୁବବାହିନୀର କର୍ମୀମାନେ ଉପସ୍ଥିତ ଥିଲେ।

ସର୍ଭାଇକାଲ୍‌ ଆର୍ଥ୍ରାଇଟିସ୍‌  ଚିକିତ୍ସା ପାଇଁ ଗତ ଜୁନ୍‌ ୨୦ ତାରିଖରେ  ନବୀନ ମୁମ୍ବାଇ ଯାଇଥିଲେ । ଜୁନ ୨୨  ତାରିଖରେ ମୁମ୍ବାଇ ସ୍ଥିତ କୋକିଳାବେନ୍‌  ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର  ଅପରେସନ ହୋଇଥିଲା । ନବୀନ  ଭୁବନେଶ୍ୱରରୁ ମୁମ୍ବାଇ ଯିବା ଦିନ ନବୀନ  ନିବାସରୁ ବିମାନବନ୍ଦର ପର୍ଯ୍ୟନ୍ତ ହଜାର  ହଜାର ଲୋକ ଉପସ୍ଥିତ ଥିଲେ । ଗତ ୭  ତାରିଖରେ ନବୀନ ହସ୍ପିଟାଲରୁ ଡିସଚାର୍ଜ  ହୋଇ ମୁମ୍ବାଇରେ ଥିଲେ । ଆଜି ମୁମ୍ବାଇରୁ ଭୁବନେଶ୍ୱରକୁ ଫେରିଆସିଛନ୍ତି ନବୀନ ପଟ୍ଟନାୟକ।