ଭୁବନେଶ୍ୱର, ୨୪/୦୨ : ଧାନ ବିକ୍ରି ଓ ମଣ୍ଡି ସମସ୍ୟା ନେଇ ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି । ମଙ୍ଗଳବାର ବିଧାନସଭା ଭିତରେ ଓ ବାହାରେ କମ୍ପାଇବ ବିଜେଡି । ଏଥିପାଇଁ ଦଳ ବଡ଼ ପ୍ରସ୍ତୁତି କରିଛି । ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ଏ ନେଇ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଶାଳ ବିକ୍ଷୋଭ କରାଯିବ ।
ପ୍ରସନ୍ନ କହିଛନ୍ତି, ଧାନ ସଂଗ୍ରହ ପାଇଁ ପଞ୍ଜୀକରଣରେ ବିଭ୍ରାଟ, ଟୋକନ ସମସ୍ୟା, ମଣ୍ଡିରେ ଅବ୍ୟବସ୍ଥା, କଟନି ଛଟନି ନେଇ ଚାଷୀମାନେ ଶୋଷଣର ଶିକାର ହୋଇଛନ୍ତି । ପ୍ରତିଟି ବ୍ଲକ ଓ ଜିଲ୍ଲାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ତଥାପି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଛି ବୋଲି କହି ସରକାର ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ଏମାନଙ୍କ ଭିତରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜୀକରଣକୁ ବିଭିନ୍ନ କାରଣ ଦର୍ଶାଇ ସରକାର ରଦ୍ଦ କରିଦେଇଥିଲେ । ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ଏବେ ସୁଦ୍ଧା ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇପାରିଛି, ଯାହା ସମୁଦାୟ ଧାନର ମାତ୍ର ୩୧ ପ୍ରତିଶତ । ବାକି ଧାନକୁ ନେଇ ଚାଷୀ କ'ଣ କରିବେ? ଏହାଛଡା ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାକୁ ସରକାର ଦେଉନାହାନ୍ତି । ଧାନ ସଂଗ୍ରହ ପରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ମୂଲ୍ୟ ଯିବା କଥା । କିନ୍ତୁ, ୧୫/୨୦ ଦିନ ପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରାପ୍ୟ ମିଳୁନି ।
ଦେବୀ କହିଛନ୍ତି, ଗତ ୨ ତାରିଖରୁ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ଚାଲିଥିଲା । ମଙ୍ଗଳବାର ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ହେବ । ସଞ୍ଜୟ କହିଛନ୍ତି, ବିଜେପିର ପ୍ରତିଶ୍ରୁତି ପ୍ରତାରଣା ହୋଇଛି । ରାଜ୍ୟର ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ଧାନ ସଂଗ୍ରହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ଓ ଚାଷୀକୁଳକୁ ଉପହାସ କରୁଛନ୍ତି । କୃଷକଙ୍କୁ ନ୍ୟାୟ ଦେବାକୁ ବିଜେଡି ଲଢ଼େଇ କରୁଛି ।
ଏହି କବରଟିକୁ ପଢନ୍ତୁ- ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା, ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ