ଭୁବନେଶ୍ବର,୧୯/୧୨:ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ସିଢିରୁ ପଡ଼ି ଆହତ ।  ଆମ୍ବେଦକର ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ପରସ୍ପର ବିରୋଧରେ ପ୍ରତିବାଦ ବେଳେ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାହୁଲ ଗାନ୍ଧୀଙ୍କ ଧକ୍କାରେ ଜଣେ ସାଂସଦ ତାଙ୍କ ଉପରେ ପଡ଼ିଯିବାରୁ ସେ ଆହତ ହୋଇଥିବା କହିଛନ୍ତି ।

ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ସେ ସଂସଦରେ ସିଢି ପାଖରେ ଛିଡ଼ା ହୋଇଥିଲେ। ଆଉ ସେତେବେଳେ ରାହୁଲ ଆସି ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ, ଫଳରେ ସାଂସଦ ତାଙ୍କ ଉପରେ ପଡି ଯାଇଥିଲେ । ଯାହାଦ୍ବାରା ସେ ତଳେ ପଡ଼ି ଆହତ ହୋଇଛନ୍ତି। ଅନ୍ୟପଟେ ଏନେଇ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦମାନେ ମତେ ଅଟକାଇଥିଲେ । ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇ ପାରେ।