ରାୟଗଡା / ଭୁବନେଶ୍ୱର, ୧୫। ୪: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ  ବିଜେପିର ଏକ ପ୍ରତିନିଧି ଦଳ ସିଜିମାଳି ଗସ୍ତ କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଏହି ଦଳ ଗସ୍ତ କରିଛି। ପ୍ରତିନିଧି ଦଳ ସିଜିମାଳି ସ୍ଥିତି ଅନୁଧ୍ୟାନ କରିଛନ୍ତି।

 ୨୦୨୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଥିବା ଖଣି ଲିଜ୍ ପ୍ରଦାନ କରାଯାଇଥିଲା । ଲିଜ ପ୍ରକ୍ରିୟାରେ ଅନେକ ଆଇନଗତ ତୃଟି ଅଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ସେହି କାରଣକୁ ଦର୍ଶାଇ ଖଣି ଅଂଚଳରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ପ୍ରତିନିଧି ଦଳଙ୍କ ସହ ସ୍ଥାନୀୟ ବାସିନ୍ଦା ଏବଂ ଆନ୍ଦୋଳନକାରୀ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସିଜିମାଳିବାସୀଙ୍କ ପ୍ରତି ବିଗତ ଦିନରେ ଯେଉଁ ଅନ୍ୟାୟ ଓ ଅତ୍ୟାଚାରର ଅଭିଯୋଗ ଆସିଛି, ତାର ସମାଧାନ ନିଶ୍ଚିତ ହେବ । କାହା ପ୍ରତି କୈାଣସି ଅନ୍ୟାୟ ହେବ ନାହିଁ । ଆମେ ସ୍ଥାନୀୟ ବାସିନ୍ଦାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ । ଏଥି ସହ ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଛୁ । ବାସ୍ତବ ସ୍ଥିତି ଏବଂ ସ୍ଥାନୀୟ ବାସିଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅବଗତ କରିବୁ ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ବିଧାୟକ ରଘୁରାମ ମାଛ, ରୁପୁ ଭତ୍ରା, ସୁଧୀର ପାଟ୍ଟଯୋଶୀ, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଓ କୈଳାଶ କୁଲେଶିକା, କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା ନାୟକ, ରାୟଗଡା ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ରାୟଗଡା ଜିଲ୍ଲା ପୂର୍ବତନ ସଭାପତି ଶିବ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନ ଉପସ୍ଥିତ ଥିଲେ ।