ନୂଆଦିଲ୍ଲୀ,୨୫।୫:  ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ  ଦୁଇ ଦିନ ତଳେ ବିଜେପି ସରକାରର ପତନ ହେବା ନେଇ ଦାବି କରିଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ଗୋଟିଏ ବର୍ଷ ମଧ୍ୟରେ ମୋଦି ସରକାରର ପତନ ହେବ। ଏବେ ରାହୁଲଙ୍କ ଏଭଳି କଥାର କଡା ଜବାବ୍ ଦେଇଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ।କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ଭସ୍ମାସୁର । ଟୁଲକିଟ୍ ମଡେଲ୍ ରାହୁଲ ଗାନ୍ଧୀଙ୍କ ଏକ ପ୍ରଡକ୍ଟ। ଏ ସରକାର ସ୍ଥିର ଓ ମଜବୁତ। ରାମାୟଣର ଅଙ୍ଗଦଙ୍କ ଗୋଡ଼ ଭଳି। ୧୦୦ ରାହୁଲ ଗାନ୍ଧୀ ଆସିଲେ ବି ହଲାଇ ପାରିବେନି। ଗୋଟିଏ ବର୍ଷ ମଧ୍ୟରେ କଂଗ୍ରେସ ଦଳ ଦୁଇ ଭାଗରେ ବାଣ୍ଟି ହୋଇଯିବ। ‘ନକଲି ଗାନ୍ଧୀ ପରିବାର ବିରୋଧରେ କଂଗ୍ରେସ ଭିତରେ ବିଦ୍ରୋହ ହେବ। ଯେତେବେଳେ କଂଗ୍ରେସ ଦଳ ଭିତରେ ବିରୋଧ ହେବ ସେତେବେଳେ ସେମାନେ ଭାରତ ଛାଡି ପଳାଇଯିବେ।’

ଗୌରବ କହିଛନ୍ତି, ଗତକାଲି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଗୋଟିଏ ବୈଠକରେ ଯାହା କହିଥିଲେ ଓ ସେଠାରୁ ବାହାରି ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଖୁବ୍ ଦୁଃଖର କଥା। ବିଶ୍ବରେ ସଙ୍କଟ ବେଳେ ବହୁ ଦେଶର ଅର୍ଥବ୍ୟବସ୍ଥା ଦୁବର୍ଳ ହୋଇଛି। ସେତେବେଳେ ଅନ୍ୟପକ୍ଷେ ଗତ ୮୫ ଦିନରେ ପିଏମ୍ ମୋଦିଙ୍କ ନେତୃତ୍ବରେ ଭାରତ ଏହି ବିଶ୍ବ ଚ୍ୟାଲେଞ୍ଜର ମଜବୁତ ଭାବରେ ସାମନା କରୁଛି। ଆମର ଅର୍ଥବ୍ୟବସ୍ଥା ମଜବୁତ ରହିଛି।’

ଗୌରବ କହିଛନ୍ତି, ଏହା ଏକ ଟୁଲକିଟ୍ ମଡେଲ, ଯାହାକି ବିନାଶକାରୀ, ଅରାଜକ, ଅପରିପକ୍ୱ ଏବଂ ମୂର୍ଖ ସେମାନେ ରାହୁଲ ଗାନ୍ଧୀଙ୍କ ଉତ୍ପାଦ। ଗତକାଲି, ସମାନ ଏକ ଟୁଲକିଟ୍ ପୁଣି ଥରେ ସାମ୍ନାକୁ ଆସିଥିଲା ଯେତେବେଳେ ରାହୁଲ ଗାନ୍ଧୀ ଦାବି କରିଥିଲେ ଏହି ସରକାର ଗୋଟିଏ ବର୍ଷ ମଧ୍ୟରେ ପତନ ହେବ। ଯଦି ଆପଣଙ୍କର (ରାହୁଲ ଗାନ୍ଧୀଙ୍କ) ଲକ୍ଷ୍ୟ ଅରାଜକତା ପ୍ରସାର କରିବା, ତେବେ ଆମର ସଂକଳ୍ପ ହେଉଛି ଭାରତକୁ ଆହୁରି ଶକ୍ତିଶାଳୀ କରିବା। ଆପଣ ଆପଣଙ୍କର ସର୍ବୋତ୍ତମ ଚେଷ୍ଟା କରିପାରିବେ, କିନ୍ତୁ ଆମେ ଭାରତକୁ ଆଗକୁ ନେବା ପାଇଁ ଦୃଢ଼ ସଂକଳ୍ପବଦ୍ଧ।’

ଆହୁରି ପଢନ୍ତୁ : ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ ଭାରତକୁ ଚୀନ୍‌ର ଚେତାବନୀ, କହିଲା- ‘ଏହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ’