ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବର୍ଷକରେ ବିଜେପିର ଖର୍ଚ୍ଚ ୧୭୫୪ କୋଟି, କଂଗ୍ରେସ ଖର୍ଚ୍ଚ କରିଛି ୬୧୯ କୋଟି

Published By : Anindita Ratha | January 29, 2025 11:30 AM

ନୂଆଦିଲ୍ଲୀ,୨୯/୦୧:  ବିଜେପି ପାଖରେ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ସର୍ବାଧିକ ୭,୧୧୩.୮୦ କୋଟି ଟଙ୍କା ଥିଲା । ଯାହା ଦ୍ୱାରା ଏହା ଦେଶର ସବୁଠୁ ଧନୀ ରାଜନୈତିକ ଦଳ ବିବେଚିତ ହୋଇଛି । ସର୍ବପୁରାତନ ଦଳ କଂଗ୍ରେସ ପାଖରେ ୮୫୭.୧୫ କୋଟି ଟଙ୍କା ରହିଥିଲା । ସେହିଭଳି ବିଜେପି ୨୦୨୩-୨୪ରେ ସର୍ବାଧିକ ୧,୭୫୪.୦୬ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହା କି ୨୦୨୨-୨୩ର ୧,୦୯୨ କୋଟି ତୁଳନାରେ ୬୦% ଅଧିକ । କଂଗ୍ରେସ ୨୦୨୩-୨୪ରେ ୬୧୯.୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଦଳ ୨୦୨୨-୨୩ରେ ୧୯୨.୫୬ କୋଟି ଟଙ୍କା ବ୍ୟୟ କରିଥିଲା । ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ବାର୍ଷିକ ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି । 

ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୧୬ରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଇସି ରିପୋର୍ଟ ଦର୍ଶାଇଛି ଯେ ୨୦୨୩- ୨୪ରେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପି ୧,୬୮୫.୬୯ କୋଟି ଟଙ୍କାର ସ୍ୱେଚ୍ଛାକୃତ ପାଣ୍ଠି ଗ୍ରହଣ କରିଥିଲା, ଯାହା ପୂର୍ବ ବର୍ଷ ୧,୨୯୪.୧୫ କୋଟି ଟଙ୍କା ଥିଲା । ଏହାବ୍ୟତୀତ ଶାସକ ଦଳ ୨୦୨୩- ୨୪ରେ ଅନ୍ୟାନ୍ୟ ଚାନ୍ଦାରୁ ୨,୦୪୨.୭୫ କୋଟି ଟଙ୍କା ପାଇଥିଲା । ୨୦୨୨-୨୩ରେ ଏହା ୬୪୮.୪୨ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ କଂଗ୍ରେସ ୨୦୨୩- ୨୪ରେ ମୋଟ ୧,୨୨୫.୧୧ କୋଟି ଟଙ୍କା ଗ୍ରହଣ କରିଥିବା ଇସି ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ଏଥିରେ ୧,୧୨୯.୬୭ କୋଟି ଟଙ୍କାର ଗ୍ରାଣ୍ଟ, ଡୋନେସନ ଓ କଣ୍ଟ୍ରିବ୍ୟୁସନ ଅନ୍ତର୍ଭୁକ୍ତ । 

ବର୍ଷକରେ ବିଜେପିର ଖର୍ଚ୍ଚ ୧୭୫୪ କୋଟି୨୦୨୪ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ବର୍ଷରେ କଂଗ୍ରେସ ନିର୍ବାଚନୀ ବଣ୍ଡ ଜରିଆରେ ୮୨୩.୩୬ କୋଟି ଟଙ୍କା ପାଇଥିଲା । ୨୦୨୩-୨୪ରେ ବିଜେପି ବିଜ୍ଞାପନରେ ମୋଟ ୫୯୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏଥିରୁ ବୈଦ୍ୟୁତିକ ଗଣମାଧ୍ୟମରେ ୪୩୪.୮୪ କୋଟି ଓ ଛାପା ଗଣମାଧ୍ୟମରେ ୧୧୫.୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାଛଡ଼ା ଶାସକ ଦଳ ୨୦୨୩-୨୪ରେ ବିମାନ/ହେଲିକପ୍ଟରରେ ୧୭୪ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହା ୨୦୨୨-୨୩ରେ ୭୮.୨୩ କୋଟି ଟଙ୍କା ରହିଥିଲା । ଦଳ ଆଲୋଚ୍ୟ ବର୍ଷରେ ଏହାର ପ୍ରାର୍ଥୀମାନଙ୍କୁ ୧୯୧.୦୬ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲା, ଯାହା ପୂର୍ବ ବର୍ଷ ୭୫.୦୫ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ କଂଗ୍ରେସ ବୈଦ୍ୟୁତିକ ଗଣମାଧ୍ୟମ ବିଜ୍ଞାପନରେ ୨୦୭.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବେଳେ ଛାପା ଗଣମାଧ୍ୟମରେ ୪୩.୭୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ସୋସିଆଲ ମିଡିଆରେ ଏହା ୭୯.୭୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା-୨ରେ ଦଳ ୪୯.୬୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.