ନୂଆଦିଲ୍ଲୀ,୧୪/୧୨ :ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲ.କେ ଆଡଭାନୀ । ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡ଼ାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । କୁହାଯାଉଛି ଯେ ଗତ ୨ ସପ୍ତାହ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା ।  

ଏହା ପୂର୍ବରୁ ମଧ୍ୟ ତାଙ୍କୁ ଗତ ଜୁଲାଇ ମାସରେ ଦିଲ୍ଲୀ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ସେ ଘରକୁ ଫେରିଥିଲେ । ସେହିପରି ଗତ ଜୁନ ୨୬ ତାରିଖ ରାତି ପ୍ରାୟ ୧୦.୩୦ ମିନିଟରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।  ଗତ ମାର୍ଚ୍ଚ ମାସରେ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ୧୯୨୭ ନଭେମ୍ବର ୮ ତାରିଖରେ ପାକିସ୍ତାନର କରାଚିରେ  ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୭ ଦେଶ ବିଭାଜନ ସମୟରେ ଆଡଭାନୀଙ୍କ ପରିବାର ପାକିସ୍ତାନ ଛାଡି ମୁମ୍ବାଇରେ ରହିଥିଲେ । 

ଆଡଭାନୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜରିଆରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ଧରି ଆରଏସଏସ ସହ ଜଡିତ ଥିଲେ । ୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିବା ବେଳେ, ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ ଆଡଭାନୀ । ସେ ୩ ଥର  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ । ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ମେଣ୍ଟରେ ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଅଟଳ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ରାମ ମନ୍ଦିର ନିର୍ମାଣରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ଥିଲା ।୨୦୧୫ ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।