ନୂଆଦିଲ୍ଲୀ: ଶେଷରେ ବିବାହ କରିଲେ ବେଙ୍ଗାଲୁରୁର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା। ସେ ପ୍ରସିଦ୍ଧ ଶାସ୍ତ୍ରୀୟ କଣ୍ଠଶିଳ୍ପି ଶିଭାସ୍ରି ସ୍କନ୍ଦପ୍ରସାଦଙ୍କୁ ଗୁରୁବାର ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପରିବାରର ଲୋକମାନଙ୍କ ସହ ନିକଟ ସମ୍ପର୍କିୟମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟେ ପାରମ୍ପରିକ ଶୈଳିରେ ବିବାହ କରିବା ସହିତ ବେଙ୍ଗାଲୁରୁର ଗାୟତ୍ରୀ ବିହାର ଗ୍ରାଉଣ୍ଡରେ ଏକ ଭବ୍ୟ ଭୋଜିର ଆୟୋଜନ ମଧ୍ୟ କରିଥିବା ନେଇ ଖବର ପ୍ରକାଶ ପାଇଛି। 




ବିବାହ ଉତ୍ସବରେ ଉଭୟ ଶିଭାସ୍ରି ଓ ତେଜସ୍ୱୀ ପାରମ୍ପରିକ ଶୌଳିରେ ପୋଷାକ ପିନ୍ଧିଥିବା ନଜରକୁ ଆସିଥିଲେ। ଶିଭାସ୍ରି ଏକ ହଳଦିଆ ରଙ୍ଗର କାଞ୍ଜିବରମ୍ ଶାଢି ପିନ୍ଧିବା ସହ ହାତରେ ସୁନାର ଚୁଡି, ମୁଣ୍ଡରେ ଟିକ୍କା, କାନଫୁଲ ଓ ପାରମ୍ପରିକ ଶୈଳିରେ କେଶବିନ୍ୟାସ କରିଥିବା ନଜରକୁ ଆସିଛନ୍ତି। ସେହିପରି ତେଜସ୍ୱୀ ସୁନେଲି ପଟ୍ଟିଥିବା ଧଳା ଆଟ୍ଟିରେ ସାଙ୍ଗକୁ ମୁଣ୍ଡରେ ପାରମ୍ପରିକ ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି। 

ତେଜସ୍ୱୀଙ୍କୁ ବିବାହ କରିଥିବା ଶିଭାସ୍ରି ସ୍କନ୍ଦପ୍ରସାଦ ହେଉଛନ୍ତି ପ୍ରସିଦ୍ଧ ମୃଦଙ୍ଗ ବାଦକ ଶ୍ରୀ ଜେ ସ୍କନ୍ଦପ୍ରସାଦଙ୍କ ଝିଅ। ସେ ଅଗଷ୍ଟ ୧ ତାରିଖ ୧୯୯୬ ମସିହାରେ ଜନ୍ମଗ୍ରହଣ କରିଥିଲେ।  ଦକ୍ଷିଣୀ ଫିଲ୍ମ ଇଣ୍ଡଷ୍ଟ୍ରିର ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ ଫିଲ୍ମର ଫ୍ରାଞ୍ଚାଇଜ ‘ପୋନ୍ନିୟିନ ସେଲଭାନ’ରେ ଗୀତଗାଇ ସେ ସାରା ଭାରତ ବର୍ଷରୁ ପ୍ରଶଂସା ସାଉଁଟିଥିଲେ। 

ଆପଣଙ୍କୁ ଜଣାଇରଖୁ କି, ଶିଭାସ୍ରି ଶାସ୍ତ୍ର ବିଶ୍ୱବିଦ୍ୟାଳୟରୁ ବାୟୋଇଂଜିନିୟରିଂରେ ଗ୍ରଜୁଏଟ ହେବାସହ ଡ୍ରଗ-ଇଣ୍ଡୁସଡ ଡେଭଲୋପମେଣ୍ଟ ଓ ଫଟାଲ ଡିଫେକ୍ଟ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହାସହ ସେ ପିଭିଏ ଆୟୁର୍ବେଦିକ ଡାକ୍ତରଖାନାରୁ ଆୟୁର୍ବେଦିକ କସମେଟୋଲୋଜିରେ ଡିପ୍ଲୋମା ମଧ୍ୟ କରିଛନ୍ତି। ସେହିପରି ଶିଭାସ୍ରୀ ଆହୁତି ନାମକ ଏକ ସଂସ୍ଥାର ପ୍ରତିଷ୍ଠା କରିବା ସହ ଏହି ସଂସ୍ଥାର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି।