ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି (ଶନିବାର) ବିଜେପି ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ୨୨ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି  ।  ଏନସିପି (ଏସପି) ଚର୍ଚ୍ଚିତ ଚେହେରା ସତୀଶ ଚୌହାନଙ୍କୁ ଗଙ୍ଗପୁର ଆସନରୁ ପ୍ରାର୍ଥୀ କରିଛି । ସତୀଶ ଚୌହାନଙ୍କୁ ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ଅକ୍ଟୋବର ୧୮ରେ ଦଳ ବିରୋଧୀ କାର୍ଯ୍ୟ ଲାଗି ପାର୍ଟିରୁ ୬ ବର୍ଷ ଲାଗି ନିଲମ୍ବିତ କରିଥିଲା । 




ସେପଟେ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାଁ ଜାରି କରିଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଦଳ ୨୨ଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ବିଜେପି ବର୍ତ୍ତମାନର ୬ ବିଧାୟକଙ୍କୁ ସାମିଲ କରିଥିବା ବେଳେ ଦୁଇ ଜଣଙ୍କୁ ଟିକେଟ ଦେଇ ନାହିଁ । ମହାୟୁତି ମେଣ୍ଟର ମୁଖ୍ୟ ଦଳ ବିଜେପି ଏବେ ସୁଦ୍ଧା ୧୨୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦ୍ବିତୀୟ ତାଲିକାରେ ଦଳ ଦୁଇ ଜଣ ବିଧାନ ପରିଷଦ ସଦ୍ୟସଙ୍କୁ ଟିକେଟ ଦେଇଛି । 




ଗୋପିଚାନ୍ଦ ପାଦଲକର ଜାଟରୁ ପ୍ରାର୍ଥୀ ହୋଇଥିବା ବେଳେ ରମେଶ କାରଦ ଲାତୁର ଗ୍ରାମୀଣ ଆସନରୁ ନିର୍ବାଚନ ଲଢ଼ିବେ ।  ୨୦୧୯ ନିର୍ବାଚନରେ ବିଜେପି ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା ୫୬ ଏବଂ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଥିଲା । ସେହିଭଳି ୨୦୧୪ ନିର୍ବାଚନରେ ବିଜେପି ୧୨୨ ଆସନ ନିଜ ନାଁରେ କରିଥିଲା । 

ସୂଚନାଯୋଗ୍ୟ, ୨୮୮ ବିଧାନସଭା ଆସନ ଥିବା ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ଏବଂ ନିର୍ବାଚନୀ ଫଳାଫଳ ଘୋଷଣା ହେବ ।