ନୂଆଦିଲ୍ଲୀ: ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ବିରୋଧରେ ବିଜେପିର ରଣହୁଙ୍କାର । ଆପ୍‌ ସରକାର ବିରୋଧରେ ଅଭିଯୋଗ ପତ୍ର (ଚର୍ଜସିଟ୍‌) ଜାରି କଲା ଭାରତୀୟ ଜନତା ପାର୍ଟି । ବିଜେପି ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘ଏହି ଚାର୍ଜସିଟ୍‌ରେ ଆପ୍‌ର ଦୁର୍ନୀତିର କାହାଣୀ ରହିଛି । ଦିଲ୍ଲୀବାସୀଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ମିଛ ପ୍ରତିଶ୍ରୁତି ଦେଇଛନ୍ତି । ସେ ମାଗଣା ବିଜୁଳୀ, ସ୍ବାସ୍ଥ୍ୟ ସେବା ଏବଂ ପାଣି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ବି ଲୋକମାନେ ଏହି ସେବା ଲାଗି ଟଙ୍କା ଦେଉଛନ୍ତି । ଦିଲ୍ଲୀକୁ ଦୁର୍ନୀତିମୁକ୍ତ କରିବ ବୋଲି ଆପ୍‌ କହିଥିଲା, କିନ୍ତୁ ସେହି ଦଳର ୮ ମନ୍ତ୍ରୀ ଏବଂ ୧୫ ଜଣ ବିଧାୟକ ଜେଲ ଯାଇଛନ୍ତି ।’ 

ସେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି କହିଛନ୍ତି, କେଜ୍ରିଓ୍ବାଲ ନିଜକୁ ନମ୍ବର ଓ୍ବାନ କହୁଛନ୍ତି । କେଉଁ କ୍ଷେତ୍ରରେ ଆପଣ ନମ୍ବର ଓ୍ବାନ ? ଦେଶରେ ସବୁଠାରୁ ଅଧିକ ଦାମରେ ଦିଲ୍ଲୀରେ ପାଣି ମିଳୁଛି ବୋଲି ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି ।  ସେପଟେ କେଜ୍ରିଓ୍ବାଲଙ୍କ ଦଳ ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ୍‌ (ଏସ୍‌ଏଫଜେ) ପାଖରୁ ୧.୬ ମିଲିୟନ୍‌ ଡଲାର ଗ୍ରହଣ କରିଛି ବୋଲି ଅନୁରାଗ ଦାବି କରିଛନ୍ତି । 

ଏପରିକି ପଞ୍ଜାବ ନିର୍ବାଚନରେ ଆପ୍‌ ଖଲିସ୍ତାନୀ ସଂଗଠନର ସହାୟତା ନେଇଥିଲା ବୋଲି ସେ କହିଛନ୍ତି । ବିଜେପିର ଏହି ଚାର୍ଜସିଟ୍‌ ଦିଲ୍ଲୀର ଅପରାଧୀ କେଜ୍ରିଓ୍ବାଲଙ୍କ ଦୁର୍ନୀତିର ଗୁମର ଖୋଲିବ ବୋଲି ଅନୁରାଗ ଠାକୁର କହିଛନ୍ତି । ସେପଟେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୩ ଶେଷ ହେବାକୁ ଯାଉଛି ଏବଂ ନିର୍ବାଚନ ତା ପୂର୍ବରୁ ହୋଇପାରେ ।