ଭୁବନେଶ୍ୱର,୨୮/୦୭: ଖୁବଶୀଘ୍ର  ଘୋଷଣା ହେବ ବିଜେପି ରାଜ୍ୟ କମିଟି ।  କମିଟିରେ ୧୦ ଜଣ ଉପସଭାପତି, ୪  ଜଣ ସାଧାରଣ ସଂପାଦକ, ଜଣେ ସାଧାରଣ  ସଂପାଦକ (ସଂଗଠନ), ୧୦ ଜଣ ସଂପାଦକ  ଓ ଜଣେ କୋଷାଧ୍ୟକ୍ଷ ରହିବେ ବୋଲି ବିଶ୍ୱସ୍ତ  ସୂତ୍ରରୁ ସୂଚନା ମିଳିଛି । କମିଟି ଯେ କୌଣସି  ମୁହୁର୍ତ୍ତରେ ଘୋଷଣା ହୋଇପାରେ । ଦୁଇ  ଦିନ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ମାରାଥନ୍‌ ବୈଠକରୁ ଏହା ବାରି ହେଉଛି । 

ଶନିବାର ରାତି ୨ଟା ପର୍ଯ୍ୟନ୍ତ ବୈଠକ  ଚାଲିଥିବା ବେଳେ ରବିବାର ବି ଲମ୍ୱା ସମୟ  ଧରି ବୈଠକ ଚାଲିଥିଲା । ପରେ ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲ,  ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ  ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି  ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ବାସଭବନରେ ପହଞ୍ଚିଥିଲେ । ସେଠାରେ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ  ହୋଇଥିବା ସୂଚନା ମିଳିଥିଲା । ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ । 

ତେବେ କିଛି ଦଳୀୟ ନେତାଙ୍କ କହିବା  ଅନୁସାରେ ପ୍ରଥମେ ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା କରାଯିବ । ଏଥିରେ ୨୫  ପ୍ରତିଶତ ନୂଆ ମୁହଁ ଓ ୩୩ ପ୍ରତିଶତ ମହିଳା  ସ୍ଥାନ ପାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ କିଛି  ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଘୋଷଣା  କରାଯିବ । ସରକାରୀ ଓକିଲଙ୍କ ତାଲିକା ବି  ଜାରି ହେବ । କମିଶନ ପଦବି ବି ପୂରଣ  ହେବ । ଶେଷରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ  ହେବ । ତେବେ ଯେହେତୁ ବୈଠକ  ହେଉଥିଲା ତେଣୁ ସମସ୍ତ ପ୍ରସଙ୍ଗରେ  ଆଲୋଚନା ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ  ଗଠନ ବାବଦରେ ଚର୍ଚ୍ଚା ହୋଇଛି । ସଙ୍ଗଠନ  ପର୍ବରେ ଜିଲ୍ଲା, ମଣ୍ଡଳ ଓ ପ୍ରଦେଶ ରହିଛି ।  ତେଣୁ ପ୍ରାୟ ସମସ୍ତ ପ୍ରସଙ୍ଗ ଅନ୍ତିମ  ପର୍ଯ୍ୟାୟରେ ପହଞ୍ଚିଲାଣି । ଶୀଘ୍ର ଘୋଷଣା  ହେବ ବୋଲି ଓଡ଼ିଶା ବିଜେପିର ସହପ୍ରଭାରୀ  ଲତା ସୂଚନା ଦେଇଛନ୍ତି ।  

ସେହିପରି ବିଜେପିର ରାଜ୍ୟ ପ୍ରଭାରୀ  ବିଜୟ ପାଲ ସିଂ ତୋମାର କହିଛନ୍ତି, ସମସ୍ତଙ୍କ  ସହ ବାରମ୍ବାର ଆଲୋଚନା ଓ ବିଚାରବିମର୍ଷ  କରାଯାଉଛି । ତେବେ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି  ହେବ । ଆମେ ମଧ୍ୟ ସେ ଦିଗରେ ଚେଷ୍ଟା ଜାରି  ରଖିଛୁ ବୋଲି ଶ୍ରୀ ତୋମାର କହିଛନ୍ତି ।