ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଜେପି ନିଜର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିବ। ସୂତ୍ରାନୁସାରେ ,ପାର୍ଟି ଅଧ୍ୟକ୍ଷଙ୍କର ନିର୍ବାଚନ ୧୦ଫେବ୍ରୁଆରୀରୁ ୨୦ଫେବ୍ରୁଆରୀ ମଧ୍ୟରେ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଅଧ୍ୟକ୍ଷ ଥିବା ଜେପି ନଡ୍ଡା ଦିଲ୍ଲୀ ନିର୍ବାଚନ ଯାଏ ବିଜେପିର ଦାୟିତ୍ୱ ବହନ କରିବେ। ତାଙ୍କର ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଜାନୁଆରୀ ୨୦୨୪ରେ ସମାପ୍ତ ହୋଇଥିଲା, କିନ୍ତୁ ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ନଡ୍ଡାଙ୍କର କାର୍ଯ୍ୟକାଳ ବର୍ଷକ ପାଇଁ ବଢାଇ ଦିଆ ଯାଇଥିଲା।
ବିଜେପିର ସଙ୍ଗଠନାତ୍ମକ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ରାଷ୍ଟ୍ରୀୟ ପରିଷଦ ଓ ରାଜ୍ୟ ପରିଷଦର ସଦସ୍ୟ ଏବେ ଚୟନ କରାଯାଉଛି। ରାଷ୍ଟ୍ରୀୟ ଅଧ୍ୟକ୍ଷର ନିର୍ବାଚନ ପୂର୍ବରୁ ରାଜ୍ୟ ଗୁଡ଼ିକର ୟୁନିଟ୍ରେ ଅତି କମ୍ରେ ୫୦ ପ୍ରତିଶତକୁ ନିଜର ସଙ୍ଗଠନାତ୍ମକ ନିର୍ବାଚନ ପୂରା କରିବାକୁ ହେବ। ଏବେସୁଦ୍ଧା କେବଳ ୪ଟି ରାଜ୍ୟ ନିଜର ରାଜ୍ୟ ଅଧ୍ୟକ୍ଷଙ୍କ ନିର୍ବାଚନର ପ୍ରକ୍ରିୟା ପୂରା କରିଛି। ବିଜେପି ନେତାଙ୍କ ଅନୁସାରେ, ସଙ୍ଗଠନାତ୍ମକ ନିର୍ବାଚନ ନିଜର ନିର୍ଦ୍ଧାରିତ ସମୟରେ ହେଉଛି ଏବଂ ସମୟାନୁସାରେ ପୂରା ହୋଇଯିବ।
ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ଚୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ( ଆରଏସଏସ) ପ୍ରମୁଖ ମୋହନ ଭଗୱତଙ୍କର ମଞ୍ଜୁରୀରେ ହେବ। ଏହି ଦୌଡ଼ରେ ଅନେକ ନାଁ ଥିବା ଏବେସୁଦ୍ଧା ସୂତ୍ରଦ୍ୱାରା ଜଣାପଡ଼ିଛି। ହେଲେ ବିଜେପି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ। ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷର ଦୌଡ଼ରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର , ଶିବରାଜ ସିଂହ ଚୌହାନ ଓ ପାର୍ଟି ମହାସଚିବ ବିନୋଦ ତାୱଡେଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ନାଁ ମଧ୍ୟ ପଲିଟିକାସ ସର୍କଲରେ ନିଆଯାଇଛି। ସୂତ୍ରାନୁସାରେ , ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରୁ କେହି ବି ଜଣେ ହେବା ନେଇ ସମ୍ଭାବନା ଜୋର ଧରିଛି।
କହି ରଖୁଛୁ କି, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାଁ ଗତ ସଙ୍ଗଠନାତ୍ମକ ନିର୍ବାଚନରେ ମଧ୍ୟ ଚର୍ଚ୍ଚାରେ ଥିଲା, କିନ୍ତୁ ଏହି ଭୂମିକା ଜେପି ନଡ୍ଡାଙ୍କୁ ପ୍ରଦାନ କରାଯାଇ ଥିଲା। ଏହି ତିନି ନେତା ପାର୍ଟି ଭିତରେ ନିଜ କାର୍ଯ୍ୟ ମାଧ୍ୟମରେ ଅଭିଜ୍ଞତା ସାଉଁଟି ସାରିଛନ୍ତି। ଭୂପେନ୍ଦ୍ର ଯାଦବ ରାଜସ୍ଥାନର ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଏବଂ ବିନୋଦ ତାୱଡେ ମହାରାଷ୍ଟ୍ରରୁ ଅଛନ୍ତି। ଏହି ତିନି ନେତା ଅମିତ ଶାହଙ୍କ ଖୁବ୍ ନିକଟତର ଭାବେ ଜଣାଶୁଣା।